୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଏଥିସହ ତିନିରଥର ୩୪ ଜଣ ଚିତ୍ରକାର ସେବକ ଏବଂ ତିନିରଥର ୧୭ ଜଣ ଦରଜି ସେବକ ନିର୍ମାଣ କାର୍ଯ୍ୟରେ ସାମିଲ ଅଛନ୍ତି । ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ଉପସ୍ଥିତ ପରେ ରଥ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ । ରଥ ନିର୍ମାଣ ଅଗ୍ରଗତି ତିନିରଥର ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ନିର୍ମାଣକାରୀ ସେବକ ମାନଙ୍କ ଉତ୍ସ।ହ ଉଦିପନା କୁ ବଢ଼ାଇ ଦେଇଛନ୍ତି ପ୍ରତି ବିଭାଗର ମୁଖ୍ୟ ନିର୍ମାଣକାରୀ ସେବକ ମାନେ ।
ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି। ଆଉମାତ୍ର ମଝିରେ ଗୋଟିଏ ଦିନ , ଆଉ କେତେ ଘଣ୍ଟା ସିଂହଦ୍ୱାରେ ପହଞ୍ଚିବ ତିନିରଥ। ନିର୍ମାଣ କାର୍ଯ୍ୟ ଧୃତ ଗତିରେ ଆଗେଇ ଚାଲିଛି… ଆଜି ମହାରଣା ସେବକ ଏବଂ ଭୋଇ ସେବକ ମାନେ ରଥ ସମୁଖ ଭାଗକୁ ଛାଡି ରଥ ତିନି ପାର୍ଶ୍ୱ ରେ ଲାଗିଥିବା ତିନୋଟି ଲେଖାଁଏ ୯ ଟି ଜଳଯନ୍ତ୍ର ରେ ପାର୍ଶ୍ୱ ଦେବ- ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି ସେଥିରେ କଣ୍ଟାବାଡେଇ ଶିଖର ଡମ୍ବରୁ (ଆସ୍ଥାନ) ସଂଯୋଗ କରିଛନ୍ତି
ଏତତ୍ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶ ରେ ହଂସ ପଟା ବାଡ଼ିଆ ଶେଷ ହୋଇଛି। ଆସନ୍ତାକାଲି ତିନିରଥ ଉପରେ ଠେକେରା ବାଡ଼ ବୁଲବା କାର୍ଯ୍ୟ ଶେଷ ହେବ। ଆଜି ଦରଜି ସେବକ ମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକ ମାନଙ୍କୁ ଯୋଗାଇଛନ୍ତି। କୋଠ ସୁଆଁସିଆ ସେବକ ମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି, ପ୍ରଥମେ ତାଳଧ୍ୱଜ ରଥର ଚାରି ପାର୍ଶ୍ୱ ଦୁଆର ବେଢ଼ା ରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ।
ଆଜି ତିନିରଥର ଦୁଇଟି ଲେଖାଁଏ ବ୍ରେକ ପୁଲି ଲାଗିବା ସହ ବ୍ରେକ ଗୁଡିକର ତଳ ପାର୍ଶ୍ୱ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତିନିରଥର ଘୋଡା ଗୁଡିକର ଯଏଣ୍ଟ ସ୍ଥାନ ମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ସେହିପରି ତିନିରଥର ତିନି ସାରଥୀ ଙ୍କ ଜଙ୍ଘ, ହାତ ଜଏଣ୍ଟ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ସିଂହ ଦ୍ୱାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ।
ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ବ୍ରେକ ଜାମିନି କଣ୍ଟା ,୨୦ ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଗା ବାଗୁଆ କଣ୍ଟା ଯୋଗାଇଛନ୍ତି। ପାହି ମହାରଣା ମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି। (ଥର ନିର୍ମାଣ ଅଗ୍ରଗତି ସମ୍ପର୍କୀୟ ସ୍ଥିର ଚିତ୍ର ଏଥିସହ ସାମିଲ ଅଛି)

© 2023 Odisha Taza News.