୧୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଇଟା ଭାଟିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଇଟା ପୋଡ଼ୁଥିବା ବେଳେ ପୋଡ଼ିଗଲେ ମହିଳା । ଶରୀରର ୮୦ ଭାଗ ପୋଡ଼ି ଗୁରୁତର ଅବସ୍ଥାରେ ମହିଳା ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଝୁକା ଗ୍ରାମରେ । ସୂଚନା ପ୍ରକାରେ, ରବିବାର ସକାଳେ ଇଟା ଭାଟିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ସମୟରେ ଅଚାନକ ସୁପ୍ରିୟା ବାସ୍ତରାୟଙ୍କ ଦେହରେ ନିଆଁ ଲାଗିଯାଇଥିଲା ।
ତେବେ ମହିଳା ଜଣକ ପଲିଷ୍ଟର ଲୁଗା ପିନ୍ଧିଥିବା ଯୋଗୁଁ ହଠାତ୍ ତାଙ୍କ ଶାଢିରେ ନିଆଁ ଲାଗି ତାଙ୍କ ଶରୀର ୮୦ ଭାଗ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ସୁପ୍ରିୟାଙ୍କୁ ମୋହନା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ପୁଲିସ ତଦନ୍ତ ପରେ ହିଁ ଜଣାପଡ଼ିବ।

© 2023 Odisha Taza News.