ପ୍ରଥମେ ରାମଜି ଛକରେ ଦିବ୍ୟରଥ ଚକ ପହଞ୍ଚିବା ପରେ ଅଞ୍ଚଳବାସୀ ଧୂପ ଦୀପ ପୁଷ୍ପ ଅର୍ପଣ ପୂର୍ବକ ଘଣ୍ଟ ଶଙ୍ଖ ସଂକୀର୍ତ୍ତନ କରି ମହାପ୍ରଭୁଙ୍କ ଚକକୁ ବିରାଟ ପଟୁଆରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ରାମଜି ଛକରେ ଥିବା ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକକୁ ଭବ୍ୟ ସ୍ୱାଗତ କରାଯାଇ ପୂଜାର୍ଚ୍ଚନା କରିବା ପରେ ସେଠାରେ ଉପସ୍ଥିତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଘଣ୍ଟ ବାଦ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପରେ ପରେ ଗୁଣ୍ଡିଚା ମନ୍ଦିର ରୁ ଏକ ବିରାଟ ଭବ୍ୟ ଶୋଭାଯାତ୍ରାରେ ରଥ ଚକାକୁ ସ୍ଥାନୀୟ ବରମପୁରାସ୍ଥିତ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା ।
ଏହି ଭବ୍ୟ ଯାତ୍ରାରେ ସହରର ଉଭୟ ପଟେ ନିଜ ନିଜ ବାସଭବନ ସମ୍ମୁଖରେ ପୂର୍ଣ୍ଣ କଳସ ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ପାଟଣାଗଡ଼ରେ ଥିବା ସର୍ବ ପୁରାତନ ବଳଦେବ ଜୀଉ ମନ୍ଦିରକୁ ନନ୍ଦୀଘୋଷ ଦିବ୍ୟରଥ ଚକକୁ ପ୍ରେରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ସହ ସମସ୍ତ ଦେବୋତ୍ତର ସଦସ୍ୟ ଗଣ ଅର୍ଜୁନ ପ୍ରସାଦ ଅଗ୍ରୱାଲ, ସୁନୀଲ ଗୋଏଲ, ରାଣା ପ୍ରଧାନ, ଇନ୍ଦୁଭୂଷଣ ଠାକୁର ଓ ସଦାଶିବ ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବ୍ୟରଥ ଚକକୁ ସର୍ବପୁରାତନ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯିବ । ଆଜି ଚକ ଆସିବା ପରେ ଶ୍ରୀଜଗନ୍ନାଥମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଶୋଭାଯାତ୍ରାରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ପୁାଲିସ ମୁତୟନ କରାଯାଇଥିଲା

© 2023 Odisha Taza News.