ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) କୋରାଇ :- କୋରାଇ ବ୍ଲକରେ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଛି । ଶାସକ ଦଳ, ବ୍ଲକ ଶାସନ ଦାୟିତ୍ୱରେ ରହିଥିବା ବିଜେପି ଦଳ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ହାତବାରିଶ କରି ବ୍ଲକରେ ବହୁ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଉଛି । ଯାହାର ପ୍ରତିବାଦରେ ଶୁକ୍ରବାର କୋରାଇ ବ୍ଳକ କଂଗ୍ରେସ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରର ଏକକିତା ନକଲ ମୁଖ୍ୟମନ୍ତ୍ରୀ, ପଂଚୟତରାଜ ସଚିବ, ଯାଜପୁର ଜିଲାପାଳଙ୍କୁ ପ୍ରଦତ କରାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ଅଭିଯୋଗ ମୁତାବକ, ମହାମାରୀ କରୋନା ସମୟରେ ବର୍ତମାନ ସବୁଠାରେ ତାଲା ବନ୍ଦ କରାଯାଇଛି ।
ଏହି ସମୟରେ ବାହାର ରାଜ୍ୟରେ ରହି ଫେରିଥିବା ପ୍ରବାସୀ ଶ୍ରମଜୀବୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାର ମନରେଗା ଯୋଜନା କାର୍ଯ୍ୟକାରୀ କରି ଅର୍ଥ ବରାଦ କରିବା ସହିତ ୪ର୍ଥ ଓ ୧୪ଦଶ ଅର୍ଥ କମିଶନ ଅନୁଦାନ ମିଶ୍ରଣ କରି ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ କୋରାଇ ବ୍ଲକରେ ତାହାର ବ୍ୟତିକ୍ରମ ଦେଖା ଦେଇଛି । ଠିକାଦାର ଶ୍ରମିକଙ୍କୁ ଅଣଦେଖା କରି ମେସିନ୍ ଦ୍ୱାରା କାର୍ଯ୍ୟ କରି ଚାଲିଛନ୍ତି । ଯେଉଁଥିପାଇଁ ଶ୍ରମିକ ଜୀବିକା ହରାଇବା ସହିତ କେବଳ କାଗଜ କଲମରେ ସେମାନଙ୍କ ନାମ ଉଲ୍ଲେଖ କରି ମନରେଗା ଅର୍ଥ ହଡ଼ପ କରାଯାଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖାଯାଇଥିଲା ଜହ୍ନା ପଂଚାୟତ ଜହ୍ନାକଣା ଗ୍ରାମରେ । ଏହି ଗ୍ରାମରେ ଏକ ପୋଖରୀ ଖନନ ମେସିନରେ କରାଯାଇଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ସେହିପରି ମନରେଗା ଯୋଜନାରେ ‘ମୋ ଗୁହାଳ’ କାର୍ଯ୍ୟକୁ ଗୋ ସମ୍ପଦ ବିଭାଗର ବିନା ଅନୁମତିରେ ମିଥ୍ୟା ବିଲ କରାଯାଇ ଅର୍ଥ ଚଳୁ କରାଯାଇଛି । ଏତଦ୍ଭିନ୍ନ ରାସନକାର୍ଡ, କୋଭିଡ-୧୯ର ରନ୍ଧା ଖାଦ୍ୟ, କେତେକ ଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ନମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେଇ ଅଯୋଗ୍ୟଙ୍କୁ ଆବାସ ଦେବା, ଆବାସ ତାଲିକା କ୍ରମିକ ନମ୍ବର ପରିବର୍ତନ କରିବା ଭଳି ଅନେକ କାର୍ଯ୍ୟରେ ବ୍ୟାପକ ଅନିୟମିତା କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ଯେଉଁ ଦୁର୍ନୀତିଖୋର ଅଧିକାରୀ ଏହା କରିବାକୁ ପ୍ରୋତ୍ସାହନ କରୁଛନ୍ତି । ସେମାନଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏହାର ସତ୍ୟାସତ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଉ । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟଙ୍କୁ ସାମିଲ କରାଯାଇ ସେମାନଙ୍କୁ ଆବାସ ପ୍ରଦାନ କରାଯାଉ ।
ଏଥିରେ ବ୍ୟତିକ୍ରମ ହେଲେ ବ୍ଲକ କଂଗ୍ରେସ କମିଟି କୋଭିଡ୍-୧୯. ନିମୟ ଅନୁଯାୟୀ ବ୍ଲକ ସମ୍ମୁଖରେ ଧାରଣାରେ ବସିବ ବୋଲି କଂଗ୍ରେସ ଦାବି ପତ୍ରରେ ଉଲ୍ଲେଖ କରିଛି । କୋରାଇ ବ୍ଲକ କଂଗ୍ରେସ କମିଟି ସଭାପତି ମଧୁସୂଦନ ସାହୁଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ର କାର୍ଯ୍ୟକ୍ରମରେ ପୂର୍ବତନ କୋରାଇ ବ୍ଲକ ଉପାଧ୍ୟକ୍ଷ ଘନଶ୍ୟାମ ପଣ୍ଡା, ଶ୍ରମିକ ନେତା ବିଜୟକୁମାର ବୋଇତାଇ, ଧନେଶ୍ୱର ପଂଚାୟତ କଂଗ୍ରେସ ସଭାପତି ନିରଞ୍ଜନ ନାୟକ, ବ୍ଲକ ଓବିସିସେଲ ସଭାପତି ନରହରି କୂଅଁର, ବ୍ଲକ କଂଗ୍ରେସ ସଂଖ୍ୟାଲଘୁ ସେଲ ସଭାପତି ମିର୍ଜା ଲୋକମାନ ବେଗ୍, ସୁଦାମ ପଲେଇ, ରବୀନ୍ଦ୍ର ମଲ୍ଲିକ, ବଳରାମ ମଲ୍ଲିକ, ଶ୍ୟାମସୁନ୍ଦର ଜେନା, ବିଦୁଭୂଷଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ( ବ୍ୟାସନଗରରୁ/ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )