୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆଧୁନିକ ସଭ୍ୟସମାଜରେ ଏବେ କୁସଂସ୍କାର ଓ ବାସନ୍ଦ ଭଳି ଘୃଣ୍ୟପ୍ରାଥା ଚାଲିଛି । ସମାଜିକ ରୀତିନୀତିକୁ ସମ୍ମାନ ଦେଇ ଚାଲିଥିବା ଏକ ପରିବାର ଆଜି ଗ୍ରାମବାସୀଙ୍କ ନିଷ୍ପତ୍ତିର ଦୁଃଖ ଭୋଗୁଛନ୍ତି । ଏପରିକି ଏହି ପରିବାରକୁ ଭିଟାମାଟି ଓ ଚାଷ ଜମି ଛାଡିବାକୁ ପଡିଛି । ଭଲ ପାଇ ବିବାହ କଲେ ବୋଲି ଦମ୍ପତିଙ୍କୁ ୨୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ଗାଁରୁ ବାସନ୍ଦ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର କୀତ୍ତିଙ୍ଗ ଗ୍ରାମରେ । ସୁଚନା ଅନୁଯାଯୀ କାତ୍ତିଙ୍ଗ ଗ୍ରାମର ଜର୍ଜ ପାଇକଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେହି ଗ୍ରାମର ଅନିତା ପାଇକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଶେଷରେ ଉଭୟେ ବିବାହ କରିବାକୁ ନୀଷ୍ପତ୍ତି ନେଇଥିଲେ । ହେଲେ କନ୍ୟାର ପରିବାର ଏବଂ ଗ୍ରାମର କିଛି ଲୋକ ଏମାନଙ୍କ ବିବାହକୁ ବିରୋଧ କରିଥିଲେ ।
ଫଳରେ ପ୍ରେମୀ ଯୁଗଳ ଗାଁ ଛାଡ ରାୟଗଡା ଜିଲ୍ଲାର ଅଲୋଡା ଗ୍ରାମକୁ ଚାଲି ଯାଇଥିଲା । ସେଠାରେ ସ୍ଥାନୀୟ ସରପଞ୍ଚ ସହାୟତାରେ ଦୁହେଁ ଅଦାଲତରେ ବିବାହ (କୋର୍ଟ ମ୍ୟାରେଜ) କରିଥିଲେ । ଉଭୟଙ୍କ ୩ଟି ସନ୍ତାନ ରହିଛନ୍ତି । ଉଭୟେ ନିଜ ଭିଟାମାଟି କାତ୍ତିଙ୍ଗକୁ ଯିବା ପାଇଁ ପ୍ରଥମେ ଚେଷ୍ଟା କରିଥିଲେ । କିନ୍ତୁ କନ୍ୟାଙ୍କ ପରିବାର ଲୋକ ବିରୋଧ କରିବା ସହ ମାଡ ମାରିଥିଲେ । ଏହି କାରଣରୁ ଉକ୍ତ ଦମ୍ପତି ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ବ ହେବ ଗାଁରୁ ବାସନ୍ଦ ହୋଇ ରହିଛନ୍ତି । ଭିଟାମାଟି ଫେରିବାକୁ ଉଦ୍ୟମ କଲେ ଜୀବନ ମାରିଦେବାକୁ ଜର୍ଜଙ୍କୁ ଧମକ ମିଳୁଛି । ନିଜର ଖାଉଟି ସାମଗ୍ରୀ ଆଣିବାକୁ ହେଲେ ତାଙ୍କୁ ଲୁଚିଛପି ପଞ୍ଚାୟତକୁ ଯିବାକୁ ପଡୁଛି । ଏପରିକି ଗାଁରେ ତାଙ୍କ ନାମରେ ରହିଥିବା ପଡି ଓ ଆଧାର କାର୍ଡକୁ ତାଲିକାରୁ କାଟିଦେବାକୁ କିଛି ଲୋକ ଧମକ ମଧ୍ୟ ଦେଉଥିବା କହିଛନ୍ତି ଜର୍ଜ ପାଇକ ।
୨୦ ବର୍ଷ ହେଲା ଗାଁରୁ ବାସନ୍ଦ ରହିବା କାରଣରୁ ଗ୍ରାମର କିଛି ଲୋକ ତାଙ୍କ ପୈତୃକ ଚାଷଜମିକୁ ଜବଦଖଲ କରି ନେଇଛନ୍ତି । କିଏ ଚାଷ କରୁଛନ୍ତି ତ ଆଉ କିଏ ଘର ନିର୍ମାଣ କରି ଦେଇଛନ୍ତି । ଗାଁର ବେହେରା ଏବଂ ଓ୍ବାର୍ଡସଭ୍ୟଙ୍କୁ ଜଣାଇ ଜର୍ଜ ନିରାଶ ହୋଇଛନ୍ତି । ବାରମ୍ବାର ମୋହନା ଥାନା ପୁଲିସ ଓ ତହସିଲଦାରଙ୍କ ନିକଟରେ ଗୁହାରି କରିଥିଲେ । ୨୦ ବର୍ଷ ମଧ୍ୟରେ ବହୁ ତହସିଲଦାର ଓ ଥାନା ଅଧିକାରୀ ବଦଳି ହୋଇ ଚାଲି ଯାଇଛନ୍ତି କିନ୍ତୁ ଆଜିସୁଧା ତାଙ୍କ ଗୁହାରି କେହି ଶୁଣି ନାହାଁନ୍ତି । ଘଟଣାର ତଦନ୍ତ କରି ଶୀଘ୍ର ସମାଧାନ କରାଯିବ ବୋଲି ମୋହନା ତହସିଲଦାର ହିମାଂ ଶୁଭୂଷଣ ପଲାଇ କହିଛନ୍ତି ।














