୧ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ । ଏହା ସହିତ ମଧୁବାବୁଙ୍କର ୧୫ ଫୁଟ ଉଚ୍ଚର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ନିର୍ମାଣ କରାଯିବ । ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ ଲାଇଟ ସାଉଣ୍ଡ ସୋ କରାଯିବ । ଆଗାମୀ ଅପ୍ରେଲ ୧୫ ତାରିଖ ସୁଦ୍ଧା ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପଣ୍ଡିଆନ୍ ଆଜି ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ । ୫ଟି କାର୍ଯ୍ୟକ୍ରମରେ ବିକାଶ କାମ ହେବ । ମଧୁ ବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।
ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ କର୍ମ ଭୂମିକୁ ଏକ ସିଙ୍ଗଲ ମିୟୂଜିୟମ କମ୍ପଲେକ୍ସ ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ । ସୂଚନା ଯୋଗ୍ୟ ଯେ କଲିକତାରୁ ଫେରିବା ପରେ ମଧୁ ବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା ର ସେବାରେ ନିଜକୁ ନିୟୋଜିତ କରିଥିଲେ । ଏହା ତାଙ୍କର କର୍ମ ଭୂମି ଭାବେ ପ୍ରସିଦ୍ଧ ।
ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ । କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ । ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ । ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତି ର ବ୍ୟାଖ୍ୟାନ କରାଯିବ ।
ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନ ର ବ୍ୟବସ୍ଥା ରହିବ । ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟତ୍କ୍ତି ମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟ ର ବିକାଶ କରାଯିବ । ଏହି କାମ ର ମାନ କୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି ।














