୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଅପରାହ୍ଣରେ ରାଜୀବ ଭବନ ସ୍ଥିତ ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ, ଜୀବନ ଓ ଜଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଜଳକୁ ନେଇ ସାଗରର ସୃଷ୍ଟି । ଜଳବାୟୁ ପରିବର୍ତ୍ତନ, ଅସମୟରେ ବର୍ଷା, ଅସନ୍ତୁଳିତ ମୌସୁମୀ ବର୍ଷା ଯୋଗୁଁ ଆମେ ଆବଶ୍ୟକତା କରୁଥିବା ଜଳର ଅଭାବ ରହୁଛି । ଜଳ ସଂପଦର ସୁରକ୍ଷା କରି ଜଳସେଚନ ଓ ଅନ୍ୟାନ୍ୟ ବ୍ୟବହାରିକ ଆବଶ୍ୟକତା ପୂରଣ ପାଇଁ ଜଳସଂପଦ ବିଭାଗ ଅହରହ ଉଦ୍ୟମ କରିଆସୁଛନ୍ତି ।
ସେହିପରି ମନ୍ତ୍ରୀ ମଧ୍ୟ ଜଳ ଶକ୍ତି ଅଭିଯାନ-ପୁସ୍ତିକା ୨.୦ କୁ ଉନ୍ମୋଚନ କରିଥିଲେ । ଚଳିତ ବର୍ଷ ବିଶ୍ୱ ଜଳ ଦିବସ ପାଳନର ପ୍ରସଙ୍ଗ ରହିଥିଲା, ସ୍ୱଚ୍ଛ ଜଳର ଉପଲବ୍ଧତା ନେଇ ରହିଥିବା ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ପାଇଁ ଦ୍ରୁତ ପରିବର୍ତ୍ତନର ଆବଶ୍ୟକତା । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଘରକୁ ପାଣି ପହଁଚାଇବା ପାଇଁ ଲକ୍ଷ୍ୟ ରଖି ତୃଣମୂଳସ୍ତରରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସର୍ବଦା ଆହ୍ୱାନ ଦେଇଆସିଛନ୍ତି ।
ଏଥି ପାଇଁ ବିଭାଗରେ “୫-ଟି” ଉପକ୍ରମ ଓ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଜଳ ସଂରକ୍ଷଣ ଓ ଜଳସେଚନ ଆବଶ୍ୟକତା ପୂରଣ ଦିଗରେ ଗୁରୁତ୍ୱ ଦିଆଯାଉଥିବା ଶ୍ରୀମତୀ ଗର୍ଗ କହିଥିଲେ । ଜଳ ସଂରକ୍ଷଣକୁ ଦୃଷ୍ଟି ଦେଇ ବିଭାଗ ଜରିଆରେ ୬୬ ଟି ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଇଥିବା ଶ୍ରୀମତି ଗର୍ଗ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ କୁମାର ଲୋହାନୀ ଯୋଗଦେଇ କହିଲେ ଯେ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ହେଉଛି ପିଇବା ପାଣି ବ୍ୟବହାର କ୍ଷେତ୍ରରେ ସବୁଠାରୁ ବଡ ଅଂଶୀଦାର ।
ୟୁନିସେଫର ରାଜ୍ୟ ମୁଖ୍ୟ ଡଃ ମିନା ସୋମଯୋଗଦେଇ ଶୁଦ୍ଧ ପାନୀୟ ଜଳର ଉପଲବଧତା ସଂପର୍କରେ ମତ ରଖିଥିବା ବେଳେ ଅତିଥି ଭାବେ ଓଡିଶା ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଉପସ୍ଥିତ ଥିଲେ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତ ରଂଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସମେତ ୟନିସେଫ, ୟୁଏନଡିପି ଏବଂ ବିଶ୍ୱବ୍ୟାଙ୍କର ପ୍ରତିନିଧିମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀର ଜଳର ଉପଯୋଗିତା ସଂପର୍କରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ।

© 2023 Odisha Taza News.