No Result
View All Result
୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ଏକ ୧୦ ଦିନ ବ୍ୟାପୀ ଜାତୀୟ ସ୍ତରୀୟ ପ୍ରଦର୍ଶନୀ (ହସ୍ତଶିଳ୍ପ ପ୍ରଦର୍ଶନୀ- ୨୦୨୩) ମାର୍ଚ୍ଚ ୧୬ରୁ ୨୫ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟ, ଭୁବନେଶ୍ୱର ଠାରେ ଆୟୋଜିତ ହେଉଅଛି । ଏଥିରେ ଓଡ଼ିଶାର ୧୦ ଟି ଜିଲ୍ଲା ସମେତ ପଶ୍ଚିମବଙ୍ଗ ଏବଂ ଜାମ୍ମୁ ଓ କାଶ୍ମୀର ପରି ଦୁଇଟି ବାହାର ରାଜ୍ୟରୁ ୫୦ ଜଣ ଶିଳ୍ପୀ/ହସ୍ତଶିଳ୍ପ କାରିଗର ଭାଗନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି ।
ଓଡ଼ିଶାର ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂହପୁର, ମୟୂରଭଞ୍ଜ, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରୁ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା-କାଠ ଖୋଦେଇ, ସବାଇ ଘାସ, ଗୋଲେïନ ଗ୍ରାସ ଶିଳ୍ପ, ଚାନ୍ଦୁଆ, ପଟ୍ଟଚିତ୍ର, ରୂପା ତାରକଶୀ, ଆଦିବାସୀ ଜୁଏଲାରୀ, କତା ଶିଳ୍ପ, ତାଳପତ୍ର ଖୋଦେଇ, ଶାମୁକା, କଂସା ଓ ପିତ୍ତଳ, ଢୋକ୍ରା, ଶିଙ୍ଘ, ଝୋଟ କାମ ଭଳି ଅତି ଆକର୍ଷଣୀୟ ଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକି୍ର ହେଉଛି । ଏହି ପ୍ରଦର୍ଶନୀରେ ପଶ୍ଚିମବଙ୍ଗର ହସ୍ତତନ୍ତ ଶାଢ଼ୀ ଓ ଜାମ୍ମୁ ଓ କାଶ୍ମୀରର ପଶ୍ମିନା ସାଲ ମଧ୍ୟରେ ରହିଛି । ଏହିଭଳି ଏକ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବୋପରି କ୍ରୟକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୨୫ ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମନର ସମ୍ଭାବନା ରହିଛି ।
ଆଜି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଏହି ପ୍ରଦର୍ଶନୀର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ । ଆମର ଏକ ମହାନ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରା ରହିଛି । ଏଭଳି ପ୍ରଦର୍ଶନୀର ଆୟୋଜନ ଦ୍ୱାରା ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାରପ୍ରସାର ହେବା ସହ ଆମର ଶିଳ୍ପୀ- କାରିଗରମାନେ ସେମାନଙ୍କ ସାମଗ୍ରୀର ବିକ୍ରୟ ପାଇଁ ସୁଯୋଗ ପାଇବେ । ଏହା ସେମାନଙ୍କର ଆର୍ଥିକ ଉନ୍ନତି ସହ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ଦେଶବିଦେଶରେ ଆଦୃତି ବୃଦ୍ଧି ପାଇପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତଶିଳ୍ପର ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କାରିଗରମାନେ ଅଧିକ ପରିମାଣର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କଲେ ଏଥି ପ୍ରତି ତୃଣମୂଳସ୍ତରର ଅଧିକ ଲୋକ ଆକର୍ଷିତ ହେବେ । ଏହା ଦ୍ୱାରା ହସ୍ତଶିଳ୍ପର ଚାହିଦା ବୃଦ୍ଧି ପାଇବ ଏବଂ ଅଧିକରୁ ଅଧିକ ଲୋକ ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର ପାଇଁ ଆଗ୍ରହୀ ହେବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଶ୍ରୀ ବିକ୍ରମାଦିତ୍ୟ ବାରିକ, ନିର୍ଦେଶକ, ହସ୍ତଶିଳ୍ପ ନିର୍ଦେଶାଳୟ, ଓଡିଶା, ଭୁବନେଶ୍ୱର, କୁମାରୀ ଦେବସ୍ମିତା ସାହୁ, ସଭାପତି( ଉତ୍କଳିକା), ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପ-ସଭାପତି (ଉତ୍କଳିକା), ଭୁବନେଶ୍ୱର, ଶ୍ରୀ ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତଥା ପରିଚାଳନା ନିର୍ଦ୍ଦେଶକ ଉତ୍କଳିକା, ଶ୍ରୀ ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ, ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ଭୁବନେଶ୍ୱର, ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ପରିଚାଳିକା, ଉତ୍କଳିକା ଓ ଅନ୍ୟାନ୍ୟ ଅଧିକାରୀ ଗଣ ଏହି ବିଶେଷ ଉତ୍ସବରେ ଉପସ୍ଥିତ ଥିଲେ ।

No Result
View All Result