୦୯ ମାର୍ଚ୍ଚ ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା/ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଫ୍ରଣ୍ଟଲାଇନ ମହିଳା କର୍ମଚାରୀଙ୍କୁ ସମ୍ମାନିତ କରାଯିବା ସହିତ ମହିଳା କର୍ମଚାରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ କୁଇଜ୍ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହିଳା ସଶକ୍ତିକରଣକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଖୋର୍ଦ୍ଧାରୋଡ ମଣ୍ଡଳ ଦ୍ଵାରା ଟ୍ରାଫିକ୍ କଲୋନୀ ରେଲୱେ କଲ୍ୟାଣ ମଣ୍ଡପରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଖୋର୍ଦ୍ଧାରୋଡ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ରିଙ୍କେଶ ରୟ କହିଛନ୍ତି ଯେ ୧୦୦୦ ରୁ ଅଧିକ ମହିଳା କର୍ମଚାରୀ ଖୋର୍ଦ୍ଧାରୋଡ ମଣ୍ଡଳରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି। ମହିଳା କର୍ମଚାରୀଙ୍କ କର୍ମକ୍ଷେତ୍ରରେ ନିରାପତ୍ତା ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ନିଶ୍ଚିତ କରିବାକୁ ଏହି ମଣ୍ଡଳ ମିଶନ୍ ମୋଡ୍ ଅଧୀନରେ ଅଛି|ମହିଳା କର୍ମଚାରୀମାନେ ମଣ୍ଡଳର ଗର୍ବ ବୋଲି ସେ କହିଥିଲେ।ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଏକ ଅଂଶ ଭାବେ ମଣ୍ଡଳର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ୨୦ ଜଣ ଫ୍ରଣ୍ଟଲାଇନ ମହିଳା କର୍ମଚାରୀଙ୍କୁ ମଣ୍ଡଳ ରେଳ ପ୍ରବନ୍ଧକ ପୁରସ୍କୃତ କରିଥିଲେ।ଏହି ଉତ୍ସବରେ ମହିଳା କର୍ମଚାରୀଙ୍କ ପାଇଁ ଆୟୋଜିତ ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ମେକାନିକାଲ୍ ରିକ୍ରିଏସନ୍ କ୍ଲବର ସଦସ୍ୟ ତଥା ଭାରତ ସ୍କାଉଟ୍ସ ଏବଂ ଗାଇଡର ଝିଅମାନଙ୍କ ଦ୍ଵାରା ମହିଳା ସଶକ୍ତିକରଣ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲାI ଖୋର୍ଦ୍ଧାରୋଡ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଦ୍ଵାରା ଏକ “ମହିଳା ଭଲିବଲ ପ୍ରଦର୍ଶନୀ ମ୍ୟାଚ୍” ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀ ମ୍ୟାଚ୍ ସ୍ଥାନୀୟ ରେଲୱେ ଷ୍ଟାଡିୟମର ଭଲିବଲ କମ୍ପ୍ଲେକ୍ସରେ ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ ଏବଂ ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହୋଇଥିଲା।