No Result
View All Result
୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ କବର ଖୋଳିଛନ୍ତି ବୃଦ୍ଧ ଦମ୍ପତି। ନିଜ ମୃତ୍ୟୁକୁ ଅପେକ୍ଷା କରି କବର ଖୋଳିବା ଆଜି ଯାଏଁ କେହି କେବେ ଦେଖିନଥିବେ। ବଞ୍ଚି ଥାଉ ଥାଉ ନିଜ ପାଇଁ ନିଜେ କବର ଖୋଳିବା କଥା ନିଜକୁ ଅଡୁଆ ଲାଗୁଥିବ। କିନ୍ତୁ ଘଟଣାଟି ନିରାଟ ସତ୍ୟ, ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଲୁହାଙ୍ଗର ପଞ୍ଚୟତର ସୌରୀ ଗାଁ ମୃତ୍ୟୁକୁ ଅପେକ୍ଷା କରି ରହିଥିବା ବା ବଞ୍ଚି ଥାଉ ଥାଉ ନିଜ ପାଇଁ ଓ ନିଜ ପତ୍ନୀ ଯେଙ୍ଗୀ ଭୁୟା ପାଇଁ ସୁନ୍ଦର କବର ଟିଏ ତିଆରି କରି ଏବେ ଚର୍ଚ୍ଚାରେ ୮୦ ବର୍ଷୀୟ ଲକ୍ଷ୍ମଣ ଭୂୟାଁ ।
ଲକ୍ଷ୍ମଣଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ପତ୍ନୀ ଯେଙ୍ଗୀ ଭୂୟାଙ୍କ ବୟସ ଏବେ ୭୦ ଟପିଲାଣି । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ପ୍ରାପ୍ତ ବୟସ୍କ ହେବା ପରେ ଦୁଇ ପୁଅ ପରମ ଭୁୟାଁ ଓ ପବିତ୍ର ଭୂୟାଁ ଏବଂ ଗୋଟିଏ ଝିଅ ମାଳତୀ ରଇତକୁ ବିବାହ କରାଇ ଦେଇଛନ୍ତି ଲକ୍ଷ୍ମଣ। ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଆନ୍ୟତ୍ର ରହୁଛନ୍ତି । ପରିଣତ ବୟସରେ ବୃଦ୍ଧା ବାପା ମାଆଙ୍କ ସେବା କରିବା ପାଇଁ ପାଖରେ କେହି ନଥିବା ବେଳେ ଘରେ କେବଳ ବୁଢ଼ାବୁଢ଼ି ହିଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ।
ଉଭୟେ ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ, ମଲା ପରେ କାଳେ କିଏ ସାହା ହେବେକି ନାହିଁ, ସେ ନେଇ ନିଜେ ଲକ୍ଷ୍ମଣ କରିଛନ୍ତି ଏଭଳି ଉଦ୍ୟମ । କିଭଳି ମୃତ୍ୟୁ ପୂର୍ବରୁ ନିଜ ପାଇଁ ଓ ନିଜ ପତ୍ନୀଙ୍କ ପାଇଁ ଏକ କବର ତିଆରି କରିବେ ସେଥିପାଇଁ ସେ ଘର ଧାନ, ବଗଡରୁ ଆଦାୟ ହେଉଥିବା କାନ୍ଦୁଲ, ଝୁଡୁଙ୍ଗ, କାଜୁ ଓ ଦୁଇଟି ଗାଈ ଆଦି ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଓ ପତ୍ନୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି ।
ଦୁଇଟି କବର ଖୋଳା ଯାଇଛି, ଉପରେ ଛାତ କରି ସେଥିରେ ମାର୍ବଲ ଲଗା ଯାଇଛି। ପାଖରେ ଦୁଇଟି ସିମେଣ୍ଟ ପ୍ଲେଟ୍ ମଧ୍ୟ ପଡ଼ିଛି। ଏହି ପ୍ଲେଟ୍ ଦୁଇଟିକୁ କବର ଉପରେ ଢାଙ୍କିବା ପାଇଁ ରଖାଯାଇଛି। ମୃତ୍ୟୁ ପରେ କାଳେ ପୁଅ ଝିଅ କିମ୍ବା ବୋହୂ ବୁଢାବୁଢ଼ୀ ଦୁହିଁଙ୍କ ପାଇଁ ଭଲ କବର ସ୍ଥାନ ଦେବେ କି ନାହିଁ ବୋଲି ଚିନ୍ତା କରି ଲକ୍ଷ୍ମଣ ତିଆରି କରିଛନ୍ତି ଏହି କବର।
କବର ସ୍ଥାନର ଆହୁରି କିଛି କାମ ବାକି ରହିଥିବାରୁ ଅର୍ଥର ଅଭାବ ରହିଛି। ଅର୍ଥର ଯୋଗାଡ଼ କରି କାମ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଛନ୍ତି ଲକ୍ଷ୍ମଣ।
ସମୟ ପାଇଲେ ସେ ନିଜେ କବର ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ମଧ୍ୟ ନେଉଛନ୍ତି । ପାରିବାରିକ ସମସ୍ୟାରେ ଉତ୍ପିଡିତ ହୋଇନଥିଲେ ମଧ୍ୟ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ, ପରିବାରର କାହା ଉପରେ ବୋଝ ନହେବାକୁ ନିଜ ପାଇଁ ନିଜେ କରିଛନ୍ତି ପୂର୍ବ ପ୍ରସ୍ତୁତି । ପରିବାରର ହିତ ସାଧନ ପାଇଁ ପିଲାଙ୍କୁ ପାଠପଢ଼ାଇ ମଣିଷ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୃଦ୍ଧ ଦମ୍ପତି ।
କବର ତିଆରି କରିବା ପରେ ଗ୍ରାମବାସୀଙ୍କୁ ଭୋଜିଭାତ ମଧ୍ୟ ଦେଇଛନ୍ତି । ଏଭଳି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି । ଜଣେ ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ । ତେବେ କିଏ କେବେ ନିଜର ମୃତ୍ୟୁ ପରର ସ୍ଥିତିକୁ ନେଇ ଜୀବିତାବସ୍ଥାରେ ପ୍ରସ୍ତୁତି କରିବାକୁ ଚାହେନାହିଁ । ଏଭଳି ସ୍ଥିତିରେ ଏହି ଆଦିବାସୀ ଦମ୍ପତିଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା କରାଯାଉଛି ।

No Result
View All Result