ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ପ୍ରଦର୍ଶନୀ ଉଦ୍ଘାଟନ କରି ଏହା ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ସଂପର୍କିତ ଜିଜ୍ଞାସା ପୂରଣ ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ବିଜ୍ଞାନ ଓ କାରଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିଜ୍ଞାନ ଓ କାରିଗରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ତିନିଦିନିଆ ପ୍ରଦର୍ଶନୀରେ ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନେ ‘ଇସ୍ରୋ’ର କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇପାରିବେ ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ବକ୍ତବ୍ୟ ରଖିଥିଲେ । ‘ଇସ୍ରୋ’ର ଗ୍ରୁପ୍ ଡାଇରେକଫର ଡ. ପରୁଲ୍ ପଟେଲ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦେଶରେ ବିଜ୍ଞାନର ଅଗ୍ରଗତି ଏବଂ ଜୀବନରେ ବିଜ୍ଞାନର ଉପଯୋଗିତା ନେଇ ବକ୍ତବ୍ୟ ରଖିବା ସହିତ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯୋଗାଯୋଗ, ଶିକ୍ଷଣ, ଉଚ୍ଚତର ତାଲିମ ଓ ଗବେଷଣା କ୍ଷେତ୍ରରେ ‘ଇସ୍ରୋ’ ସମଗ୍ର ଦେଶରେ ପ୍ରଭାବୀ ଭୂମିକା ଗ୍ରହଣ କରିଛି ବୋଲି ଡ. ପଟେଲ୍ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏପରି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ‘ଇସ୍ରୋ’ରୁ ଆସିଥିବା ବୈଜ୍ଞାନିକମାନଙ୍କଠାରୁ ପ୍ରଶ୍ନୋତ୍ତର କ୍ରମେ ସେମାନଙ୍କର ସନ୍ଦେହ ଦୂର କରିପାରିବେ ବୋଲି ଉଲ୍ଲେଖ କରିଥିଲେ ।
ଆସନ୍ତାକାଲି ରାଜ୍ୟର ୩୯୦୬ଟି ୫-‘ଟି’ ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ‘ୟୁ-ଟୁ୍ୟବ୍ ଲାଇଭ୍’ ମାଧ୍ୟମରେ ସିଧାପ୍ରସାରଣରେ ଦେଖିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନକ ନେଇ ଛାତ୍ରୀମାନେ ଚମତ୍କାର ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.