ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ବିଧାୟକ ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ ।
ପ୍ରକାଶଯୋଗ୍ୟ ଯେ କୋଭିଡ୍ ସଂକ୍ରମଣ ପାଇଁ ଗତ ତିନିବର୍ଷ ଧରି ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିଲା । ଚଳିତ ବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ । ପ୍ରତିବର୍ଷ ଓଡ଼ିଶା ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।
ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ବିଧାୟକ, ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ପୂର୍ବତନ ବିଧାୟକ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ମାନିତ କରାଯାଇଥାଏ । ରାଜ୍ୟ ପ୍ରତି ଥିବା ଦାୟିତ୍ୱବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ମାନ୍ୟବର ବିଧାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନଆଧାରରେ ଚୟନ କମିଟି ଶ୍ରେଷ୍ଠ ବିଧାୟକଙ୍କୁ ମନୋନୀତ କରିଥାନ୍ତି ।













