
ଓଡିଶା ତାଜା ନ୍ୟୁଜ୍ (୨୨ ମଇ, ଶୁକ୍ରବାର ) ଭୁବନେଶ୍ୱର :- ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନରେ ଭୂବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ହେଇଥିବା ରାଜ୍ୟର ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏହାପରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ବାତ୍ୟାସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଥିଲେ ।

ବାତ୍ୟାର ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ବାତ୍ୟା କ୍ଷୟକ୍ଷତିର ବିସ୍ତୃତ ଆକଳନ କରିବାପରେ ଆବଶ୍ୟକ ପଡ଼ିଲେ ଭାରତ ସରକାର ଅଧିକ ସହାୟତା ଯୋଗାଇ ଦେବ ବୋଲି କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ବାତ୍ୟା ଅଞ୍ଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ରାଜ୍ୟପାଳଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟର ବାତ୍ୟା ଅମ୍ଫାନ ଯୋଗୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ମୟୂରଭଂଜ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , ଜଗତ୍ସିଂହପୁର ଓ ଗଂଜାମ ଜିଲ୍ଲାର ପ୍ରାୟ ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ମୋଦୀ ଭଦ୍ରକ ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସମେତ ତିହିଡ଼ି ଓ ଧାମରାର ଅଞ୍ଚଳ ଅନୁଧ୍ୟାନ କରିଥିଲେ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail ; odishatazanews1@gmail.com













