ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର / କଳାହାଣ୍ଡି :- ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଖର୍ଚ୍ଚ ପୁଣି ହେଉଛି ଲକ୍ଷ ଲକ୍ଷ । କିନ୍ତୁ ଏମିତି ଅବହେଳିତ ଗାଁ ବି ରହୁଛି । ଯେଉଁଠି ବିକାଶର ଛାଇ ବି ପଡି ନାହିଁ । ଏପରି ଏକ ଅଭିଶପ୍ତ ଗାଁ ହେଉଛି ଲାଞ୍ଜିଗଡ଼ ବ୍ଲକର ଭୁର୍ଟି ପଞ୍ଚାୟତର ସିରିଗାଁ । ଏଠାରେ ବିକାଶ ତ ଦୂରର କଥା ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଏବେ ଉତ୍କଟ ସମସ୍ୟା ହୋଇ ରହିଛି । ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ସମୟରେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସିରିଗାଁ ୩ ନଂ ୱ।ର୍ଡରେ ୪୦ ଘର ସହ ପ୍ରାୟ ଦୁଇଶହ ଆଦିବାସୀ ଭୋଟର ବାସ କରୁଛନ୍ତି ।
ଏଠାରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ କୈାଣସି ସୁଫଳ ମିଳି ନଥିବାରୁ ଗାଁର ମୁକ୍ତା ପାତ୍ର, ଲଳିତା ପାତ୍ର, ଛାୟାବତୀ ପାତ୍ର, ସୁକାନ୍ତି ପାତ୍ର ପ୍ରମୁଖ ମହିଳା ଅଭିଯୋଗ କରନ୍ତି । ନିକଟ ଅତୀତରେ ଏକ ନଳକୂଅ ଖନନ ପାଇଁ ପଞ୍ଚାୟତ ତତ୍ତ୍ୱାବଧାନରେ ଆସି ପ୍ରାୟ ୧୦୦ଫୁଟ ଯାଏଁ ଖନନ ପରେ ଅଧାରୁ ଛାଡ଼ି ଚାଲିଯିବା ଘଟଣାକୁ ନେଇ ୱ।ର୍ଡବାସୀ ଅଭିଯୋଗ କରିଛନ୍ତି । ଏଥର ଭୁର୍ଟି ପଞ୍ଚାୟତର ନୂତନ ସରପଂଚଙ୍କୁ ଏ ସମ୍ପର୍କରେ ପଚାରିବାରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରୁପାଧର ଧରୁଆ ପଞ୍ଚାୟତର ସମସ୍ତ କାର୍ଯ୍ୟ ଉପରେ ମନମୁଖୀ ନୀତି ଅବଲମ୍ବନ କରୁଥିବା ଜଣାଇଛନ୍ତି ।
ଗାଁରେ ସୋଲାର ପମ୍ପ ଯୋଗେ ପାଣି ଯୋଗାଇ ଦିଆଯିବା ବ୍ୟବସ୍ଥା ନାମକୁ ମାତ୍ର । ଏହି ୱ।ର୍ଡ ବାସୀ ୧ କିମି ଦୂର ଏକ ପରିତ୍ୟକ୍ତ କୂଅରୁ ପାଣି ଆଣି ବ୍ୟବହାର କରୁଛନ୍ତି । ସେହିପରି ଗାଧୋଇବା ସକାଶେ ଏକ ଦୂଷିତ କାଦୁଅମାଦୁଅ ପୋଖରୀରେ ଗାଁ ଲୋକେ କାମ ସାରି ଦେଉଛନ୍ତି । ଯାହା ଫଳରେ ବିଭିନ୍ନ ଜଳବାହିତ ରୋଗ ହେବା ସମ୍ଭାବନା ରହିଛି । ପାନୀୟ ଜଳ ସମସ୍ୟା ଦୂର ପାଇଁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଗାଁର ଶାନ୍ତିଲତା ପାତ୍ର,ଗିତାଞ୍ଜଳୀ ପାତ୍ର, ରଏନା ପାତ୍ର, ବନିତା ପାତ୍ର ସହ ଅନେକ ମହିଳା ଦାବି କରିଛନ୍ତି ।













