No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ମଇ ଶନିବାର ) ଭୁବନେଶ୍ୱର :- ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ବେଳେ ହୋଇଥିବା କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ସତ୍ୟନଗର ଶ୍ମଶାନରେ ଶବଦାହ ହୋଇପାରିନି । ପ୍ରାୟ ଦୁଇ ଘଣ୍ଟା ଧରି କୋଭିଡ୍ ଆକ୍ରାନ୍ତଙ୍କର ଶବଦାହ ହୋଇପାରିନଥିଲା । ଶବଦାହ ହୋଇ ନପାରିବା ଯେତିକି ସମସ୍ୟା ନଥିଲା, ଜୁଇ ଅଧାରୁ ଲିଭି ଯିବା ତା’ଠାରୁ ବଡ଼ ସମସ୍ୟା ପାଲଟିଥିଲା । ଅଧା ପୋଡ଼ା ଶବ ବହୁ ସମୟ ଧରି ପଡ଼ି ରହିବାରୁ ଚତୁର୍ଦ୍ଦିଗ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା । ସ୍ଥିତି ଏପରି ହୋଇଥିଲା ଯେ ଲୋକ ଘରର କବାଟ, ଝରକା ଖୋଲି ପାରିନଥିଲେ ।
ଶୁକ୍ରବାର ଅପରାହ୍ଣ ପ୍ରାୟ ତିନିଟା ବେଳକୁ ଶ୍ମଶାନରେ ଥିବା ୨୧ଟିରୁ ୧୦ଟି କାଠଚୁଲା ଓ ଗୋଟିଏ ବିଦ୍ୟୁତ୍ ଚୁଲାରେ କୋଭିଡ ଆକ୍ରାନ୍ତଙ୍କ ଶବଦାହ ହେଉଥିଲା । ଶ୍ମଶାନ ବାହାରେ ମୃତକଙ୍କ ସମ୍ପର୍କୀୟମାନେ ଛିଡ଼ା ହୋଇଥିଲେ । କିନ୍ତୁ ହଠାତ୍ କଳା ବାଦଲ ଘୋଟି ଆସିଲା । ଆଉ ବରକୋଳିଆ ଟୋପା ଟପ୍ ଟପ୍ କରି ଆକାଶରୁ ଅଜାଡ଼ି ହୋଇପଡ଼ିଲା । ଶ୍ମଶାନ ବାହାରେ ଥିବା ଲୋକ କିଏ କାର୍ ଭିତରକୁ ପଳାଇଲେ ତ କିଏ ଦୋକାନ ଭିତରକୁ ପଶିଗଲେ । ଶ୍ମଶାନ ଭିତରେ ଶବଦାହ କରୁଥିବା ଲୋକ ଛାତ ଘର ଭିତରକୁ ପଳାଇଲେ।
ତେବେ ପ୍ରବଳ ବର୍ଷା ସବୁ ଜୁଇକୁ ଲିଭାଇ ଦେଲା । ପୂର୍ବରୁ ପଡ଼ିଥିବା ପାଉଁଶ, ଆଜିର ଅଧାପୋଡ଼ା ଶବ ଉପରେ ବର୍ଷା ପାଣି ପଡ଼ିବା ପରେ ଦୁର୍ଗନ୍ଧ ଚାରିଆଡ଼େ ଖେଳି ଯାଇଥିଲା । ପୂରା ସତ୍ୟନଗରରୁ ଆରମ୍ଭ କରି ପଞ୍ଜାବି କଲୋନି, ସହିଦନଗର, ବମିଖାଲ, କଟକରୋଡ୍, ଝାରପଡ଼ା ଅଞ୍ଚଳ ସବୁ ଗନ୍ଧେଇଥିଲା । ସମସ୍ତେ କହୁଥିଲେ କାହା ଘରେ କ’ଣ ପୋଡ଼ିଗଲା କି..? ହେଲେ କେହି ଠଉରାଇ ପାରୁ ନଥିଲେ ସତ୍ୟନଗର ଶ୍ମଶାନର ଅଧାପୋଡ଼ା ଶବର ଗନ୍ଧ ତାଙ୍କ ଘରେ ପଶିଛି । ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୫ଟା, ୬ଟା ପର୍ଯ୍ୟନ୍ତ ଜନପଥରୁ ଆରମ୍ଭ କରି ଚତୁର୍ଦ୍ଦିଗ ଏମିତି ଗନ୍ଧେଇଥିଲା ଯେ ଲୋକ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଶ୍ମଶାନକୁ ପ୍ରାୟ ୫୦ଟି ଶବ ଆସିଥିଲା । ଏଥିରୁ ପ୍ରାୟ ୧୫ଟି ଶବ ପୋଡ଼ା ସରିଥିଲା । ବାହାରେ ଥିବା ୧୦ଟି ଚୁଲାରେ ଶବ ଲଦା ହୋଇ ନିଆଁ ଲାଗିଥିଲା । ହଠାତ୍ ଜୋରରେ ବର୍ଷା ହେବାରୁ କର୍ମଚାରୀମାନେ ଶବଦାହ କରି ପାରିନଥିଲେ । ବର୍ଷା ଛାଡ଼ିବା ପରେ ଓଦା କାଠ ଓ ଦରପୋଡ଼ା ଶବରେ ଡିଜେଲ୍ ପକାଇ ଜାଳିଥିଲେ । ଗୋଟିଏ ଶବ ଦାହ ପାଇଁ ପ୍ରାୟ ଦୁଇ ଘଣ୍ଟା ଲାଗୁଥିବା ବେଳେ ଆଜି ବର୍ଷା ଯୋଗୁଁ ଦୁଇ ଘଣ୍ଟା ଶବ ଦାହ ହୋଇପାରିନଥିଲା । ତେଣୁ ବିଳମ୍ବିତ ରାତି ଯାଏ ଶବଦାହ ହୋଇଛି । ଚୁଲି ଓ କାଠ ଓଦା ହୋଇଯାଇଥିବାରୁ ଅଧିକାଂଶ ଶବରେ କାଠ ଉପରେ ଡିଜେଲ୍ ପକାଇ ନିଆଁ ଲଗାଯାଇଥିଲା ।
ଅପରପକ୍ଷେ ଶୁକ୍ରବାର ସତ୍ୟନଗରରେ ପୋଡ଼ା ଶବର ଗନ୍ଧ ଅସହ୍ୟ ହୋଇ ପଡ଼ିବା ପରେ ପୁଣି ଶ୍ମଶାନ ସ୍ଥାନାନ୍ତର ଦାବି ଜୋର୍ ଧରିଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ବିଏମ୍ସି ରାଜଧାନୀ ମଝିରେ ସବୁ କୋଭିଡ୍ ମୃତକଙ୍କ ଶବଦାହ କରିବା ଦ୍ବାରା ଏହାର ଭୂତାଣୁ ବାୟୁମଣ୍ଡଳରେ ମିଶୁଛନ୍ତି । ଦିନକୁ ଏତେ ଜୁଇ ଜଳୁଛି ଯେ ଆଗ ଘରେ କଳା ଧୂଆଁ ପଶି ଅଳନ୍ଦୁ ହୋଇଗଲାଣି । ସଂଧ୍ୟା ସମୟରେ ପବନ ବହିଲେ ଘରର କବାଟ ଝରକା ଖୋଲି ହେଉନି ।
ବିଏମ୍ସି ତୁରନ୍ତ ଏହି ଶ୍ମଶାନ ସ୍ଥାନାନ୍ତର କରୁ, ନଚେତ୍ ଆମେ କଡ଼ା ପଦକ୍ଷେପ ନେବୁ । ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆଜି ବର୍ଷା ଯୋଗୁଁ ଘଣ୍ଟେ/ଦୁଇ ଘଣ୍ଟା ପାଇଁ ଶବଦାହ ହୋଇପାରିନଥିଲା । ହଠାତ୍ ପାଉଁଶରେ ପାଣି ପଡ଼ିବାରୁ ଏବଂ ପବନ ହେଉଥିବାରୁ ଗନ୍ଧ ହୋଇଥିବ । ଖୁବ୍ ଶୀଘ୍ର ସତ୍ୟନଗର ଶ୍ମଶାନ ବୋଝ କମିବ । ଦୁଇ ଦିନ ପରେ ଆମେ ଭରତପୁର ଶ୍ମଶାନରେ କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ କରିବୁ । ଏହାଦ୍ବାରା ଏହି ଶ୍ମଶାନର ଚାପ କମିବ । (Report-Bhanja Bihari Mohanty)
No Result
View All Result