No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ହିଞ୍ଜିଳିକାଟୁ :- ସମ୍ପ୍ରତି ଦେଶ ତଥା ଓଡ଼ିଶାର କୋଣ ଅନୁକୋଣରେ ଦେଖାଦେଇଛି ଦ୍ବିତୀୟ ଲହରର ବିଭୀଷିକା ।ପୂର୍ଵ ଥରର କରୋନା ସଂକ୍ରମଣ ଠାରୁ ଚଳିତ ବର୍ଷର ସଂକ୍ରମଣ ଅତି ଘାତକ ସାବ୍ୟସ୍ତ ହୋଇଛି।ଚାରିଆଡେ ସୃଷ୍ଟି ହୋଇଛି ଅଜଣା ଆତଙ୍କର କରୁଣ ପରିସ୍ଥିତି।ମହାମାରୀର ମହାପ୍ରକୋପ ବିଗାଡି ଦେଇଛି ଆର୍ଥିକ ଓ ସାମାଜିକ ସନ୍ତୁଳନତା।ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ବହୁ ଅମୂଲ୍ୟ ଜୀବନ ବି ଚାଲିଯାଉଛି।ପରିବାର ଓ ପରିଜନଙ୍କ ମଧ୍ୟରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।ଏପରି ଏକ ବିପର୍ଯ୍ୟୟର ମୁକାବିଲା ଲାଗି ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଜୀବନ ଓ ଜୀବିକା ଯେପରି ବିପନ୍ନ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି।ସହର ତଥା ଗ୍ରାମାଞ୍ଚଳ ଗୁଡିକର କୋଭିଡର ସ୍ଥିତି ଓ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁଧ୍ୟାନ ଓ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିବ୍ଳକରେ କୋଭିଡର ସାମ୍ପ୍ରତିକ ସ୍ଥିତି ଓ ଏହାର ନିୟନ୍ତ୍ରଣ ସମ୍ପର୍କରେ ଭର୍ଚୁଆଲ ମୋଡ଼ରେ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା।ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା,ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର,ସିଡିପିଓ ଶୁଭଶ୍ରୀ ପାତ୍ର ଓ ଜନ ପ୍ରତିନିଧିଙ୍କ ସହ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଆଲୋଚନା କରିଥିଲେ ।
ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଦିନ ଧରି ସଙ୍ଗରୋଧରେ ରହିବା ଓ ୨ ଦିନ ପରେ ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ ଭାବେ କରିବା ପାଇଁ କହିଥିଲେ।କୌଣସି ବ୍ୟକ୍ତିଙ୍କ ଠାରେ କୋଭିଡ ରୋଗର ଲକ୍ଷଣ ଓ ଅକ୍ସିଜେନ ସ୍ତର ହ୍ରାସ ହୁଏ ତେବେ ସ୍ଥାନୀୟ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ।ଗୃହ ସଙ୍ଗରୋଧରେ ଥିବା ପଜିଟିଭ ଆକ୍ରାନ୍ତଙ୍କୁ ରେପିଡ଼ ରେସପନ୍ସ ପ୍ରଥମ ଦିନରେ ଆବଶ୍ୟକ ଔଷଧ ପ୍ରଦାନ କରି ୧୦ଦିନ ଯାଏଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ କହିଥିଲେ।ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟରେ ଆବଶ୍ୟକ ଉନ୍ନତି ନ ଘଟିଲେ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ତାଙ୍କୁ ସ୍ୱାସ୍ଥ୍ୟ ଟିମ ପରାମର୍ଶ ଦେବେ ବୋଲି ସୂଚନା ଦେଇଥିଲେ।ସେଠାରୁ ସୁସ୍ଥ ହୋଇ ଥିବା ବ୍ୟକ୍ତି ୭ ଦିନ ଧରି ଗୃହ ସଙ୍ଗରୋଧରେ ରହିବାକୁ ସ୍ୱାସ୍ଥ୍ୟ କର୍ମଚାରୀ ପରାମର୍ଶ ଦେବେ ବୋଲି ଉପ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ଶ୍ରୀ ପ୍ରଧାନ ଟୀକାକରଣର ଦ୍ଵିତୀୟ ମାତ୍ରାର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ।କରୋନା ଦାୟିତ୍ୱରେ ଥିବା ଅଙ୍ଗନବାଡି କର୍ମୀଙ୍କ ଅସହଯୋଗ ସମ୍ପର୍କରେ ବିଡ଼ିଓ ଙ୍କ ସମେତ ଜନ ପ୍ରତିନିଧିମାନେ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ନୋଡାଲ ପରିଚାଳକ ଶଶାଙ୍କ ଶେଖର ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି ଅଶୋକ କୁମାର ପଣ୍ଡା,ଲଡୁ କିଶୋର ବେହେରା, ପ୍ରମୋଦ କୁମାର ମହାନ୍ତି , ଏ ସୁଦର୍ଶନ, ମନୋଜ କୁମାର ସାବତ, ଭି.ରବୀନ୍ଦ୍ର, ରାମଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ବହୁ ଜନ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result