No Result
View All Result
ଓଡିଶା ତାଜା ନ୍ୟୁଜ ( ୨୪ ଏପ୍ରିଲ ଶନିବାର ) ହିଞ୍ଜିଳିକାଟୁ :- ଭାରତୀୟ ମେଟ୍ରୋଲୋଜି ବିଭାଗ ଦ୍ୱାରା ଜାରୀ ହୋଇଥିବା ସତର୍କବାଣୀ ଅନୁସାରେ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଦ୍ୱାରା ଓଡ଼ିଶାରେ ପ୍ରବଳ ରୁ ଅତିପ୍ରବଳ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି।ଏହାକୁ ଆଧାର କରି ଗତ ୧୨ ତାରିଖରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏହି ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ୧୯୯୮ ମସିହାର ଅନୁଭୂତ ହେବାଭଳି ହୋଇପାରେ ବୋଲି ଅବଗତ କରାଇଥିଲେ । ଏଣୁ ସମସ୍ତ ପ୍ରକାର ଆଶୁବ୍ୟବସ୍ଥା ଗ୍ରହଣ କରାଗଲେ ଲୋକଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି ସୂଚନା ଦେଇଥିଲେ ଏଣୁ ଆଗତୁରା ସମସ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେ କହିଥିଲେ । ଏପ୍ରିଲ ମାସ ୧ ତାରିଖ ଠାରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ସତର୍କ ରହିବା ଜରୁରୀ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ ବିଭିନ୍ନ ବିଭାଗ ଦ୍ଵାରା କିଭଳି ପଦକ୍ଷେପ ଗ୍ରହଣ କରିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ସହ ଜଳକ୍ଳିଷ୍ଟ ଅଞ୍ଚଳ ଚିହ୍ନଟ କରି ଜଳ ଯୋଗାଣର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏପରିକି ଟ୍ୟାଙ୍କର ଯୋଗେ ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ସ୍ଥାନୀୟ ଗ୍ରାମାଞ୍ଚଳରେ ସଠିକ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ସୂଚନା ମିଳିଛି।ଗ୍ରୀଷ୍ମ ପ୍ରବାହ ଜାରୀ ରହିବା ସହ ପାନୀୟ ଜଳଯୋଗାଣରେ ଘୋର ଅବ୍ୟବସ୍ଥା ଫଳରେ ଧନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।ଗ୍ରାମାଞ୍ଚଳରେ ଯୋଗାଣ ହେଉଥିବା ପାନୀୟ ଜଳ କେଉଁଠି ବ୍ୟବହାର ଉପଯୋଗୀ ତ କେଉଁଠି ଆଦୌ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକେ ମଧୁର ପାଣି କିଣି ଅଭାବ ମେଣ୍ଟାଉ ଥିବା ବେଳେ ପାନୀୟ ଜଳ ସଂଗ୍ରହ କରିବା ଅଧିକାଂଶ ଲୋକଙ୍କ ପାଇଁ ଦୁର୍ବିସହ ହୋଇଛି । ହିଞ୍ଜିଳି ବ୍ଳକରେ ଉତ୍ତମ ପାନୀୟ ଜଳଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ଆରମ୍ଭ ପୂର୍ବରୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା କିଛି ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ ହୋଇଛି।ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଓଭେର ହେଡ ଟାଙ୍କି ନିର୍ମାଣ କରି ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରକ୍ଷଣାବେକ୍ଷଣ,ମରାମତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବାବଦରେ ଲକ୍ଷାଧିକ ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ ହେଉଥିବା ଦର୍ଶା ଯାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ ବଢ଼ିବାରେ ଲାଗିଛି।
କିଛି ଗ୍ରାମରେ ପାନୀୟ ଜଳ ବଦଳରେ ଦୁଇ ଓଳା ଗୋଳିଆ ପାଣି ଯୋଗାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବ୍ଳକରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ,ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀ ଗ୍ରାମବାସୀଙ୍କୁ ବାରମ୍ବାର ସମାଧାନର ପ୍ରତିଶୃତି ଦେଇ ଦିନ ଗଡେଇ ଚାଲିଥିବା ଜଣାପଡିଛି।ସୂଚନାଯୋଗ୍ୟ,ଗତ ୨୦୨୦ ନଭେମ୍ବର ମାସ ୨୩ ତାରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଏକ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ସେତେବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳ ଯୋଜନାରେ ହିଞ୍ଜିଳି ବ୍ଳକର ୫୧ ଟି ଗ୍ରାମ ମଧ୍ୟରୁ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୪୪ ଟି ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟେକ ଘରକୁ ପାନୀୟ ଜଳଯୋଗାଣ ସଂଯୋଗକରଣ କରାଯିବ ବୋଲି ମତ ରଖିଥିଲେ।କିନ୍ତୁ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ଓ କାର୍ଯ୍ୟକାରିତା କିଭଳି ଚାଲିଛି ତାହା ଜଳକ୍ଳିଷ୍ଟଙ୍କ ଦୁଃଖ ଦୁର୍ଦ୍ଦଶାର ପ୍ରତିକ୍ରିୟା ଓ ଅଭିଯୋଗରୁ ସୂଚନା ମିଳିଛି।ସ୍ଥାନୀୟ ବିଭାଗର ଅପାରଗତା ଓ ଚରମ ଅବହେଳା ଯୋଗୁଁ ପାନୀୟ ଜଳ ସମସ୍ୟା ଗ୍ରାମାଞ୍ଚଳରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅଞ୍ଚଳବାସୀ ଏଥିପ୍ରତି ଜିଲ୍ଲା ଓ ସ୍ଥାନୀୟ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result