No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ହିଞ୍ଜିଳିକାଟୁ :- ମାଡ଼ି ଆସୁଛି କରେନା ବିପଦ । ବର୍ତମାନ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ଶହରୁ ଅଧିକ ହେଲାଣି । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ଆଶଙ୍କା ଲେଉଟିଲାଣି । ବିଦେଶ ସମେତ ଆମ ଦେଶର ମୁମ୍ବାଇ ଓ ଅନ୍ୟାନ କେତେକ ରାଜ୍ୟରେ କରୋନା ଲେଉଟିବା ପରେ ସେଠାକାର ସରକାର ପୁଣି ଲକ୍ଡ଼ାଉନ ଆରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ମଧ୍ୟ କୋଭିଡ଼ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁଆଁ ଏସଓପି ଜାରି କରାଯାଇଛି । କୋଭିଡ଼ କଟକଣାକୁ କେହି ଗୁରୁତ୍ୱ ଦେଉନାହାନ୍ତି । କୋଭିଡ଼ ଗାଇଡ଼ ଲାଇନକୁ ପାଳନ ନକଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ହିଞ୍ଜିଳିକାଟୁ ସହରର ଦୃଶ୍ୟ ଦେଖି ସେମିତି କିଛି ମନେ ହେଉନି । ଅଧିକାଂଶ ଏଠି ବେଫିକର । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହୋଇନି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି ହୋଇଥିବା ବେଳେ ସୋମବାର ଅପରାହ୍ନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନଫୋର୍ସମେଂଟ ଆରମ୍ଭ କରାଯାଇନାହିଁ । ଯଦ୍ୱାରା କଟକଣାକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ବ୍ୟାଙ୍କ, ବଜାର ସମେତ ସ୍ଥାନୀୟ ସହରରେ ଅବସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ ସବୁ ଖୋଲାମେଲା । ପ୍ରଶାସନ ପକ୍ଷରୁ କଟକଣା ପାଳନ ହେଉଛି କି ନାହିଁ କେହି ଅନୁଧ୍ୟାନ କରିବା ପରି ମନେ ହେଉନି । ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବେସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସର୍ବସାଧାରଣ ସ୍ଥାନରେ କରୋନା କଟକଣା ଉଲଂଘନ ହେଉଥିବା ନଜର ରହିଛି । ରାଜଧାନୀ ଭୂବନେଶ୍ୱର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କାର୍ଯ୍ୟାଳୟର ୮ଜଣ କର୍ମଚାରୀ କରୋନା ସଂକ୍ରମିତ ଜଣାପଡ଼ିବା ପରେ ସଂପୃକ୍ତ ବ୍ୟାଙ୍କ ଶାଖା କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ଜଣାପଡ଼ିଛି ।
ହେଲେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ହିଞ୍ଜିଳିକାଟୁ ପୌରାଂଚଳରେ ଅବସ୍ଥିତ ବିଭିନ୍ନ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଗୁଡ଼ିକରେ ଭିଡ଼ ପରିଲିକ୍ଷିତ ହେଉଥିବାର ଦେଖିବାକୁ ମିଳିଛି । ମାସ୍କ ନାହିଁ ତ ପ୍ରବେଶ ନାହିଁ ବୋଲି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ଲେଖା ରହିଥିବା ବେଳେ ଓ ମାସ୍କ ନାହିଁ ତ ଜିନିଷ ନାହିଁ ବୋଲି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ବୋର୍ଡ଼ ଟଙ୍ଗାଯାଇଛି । ହେଲେ ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ବିଭିନ୍ନ ବ୍ୟାଙ୍କ ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗି ରହୁଛି । ସତେ ଯେପରିକି ବ୍ୟାଙ୍କରେ କରୋନା ସଂକ୍ରମିତ ହେଉନାହିଁ । ସ୍ଥାନୀୟ ସହରର ପରିବା ବଜାର ଓ ଆମିଷ ବଜାରରେ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ଅସମ୍ଭବ ଭିଡ଼ ଲାଗି ରହୁଛି । ବେଳ ଥାଉ ଥାଉ ବେଣି ନବାନ୍ଧିଲେ ପରିସ୍ଥିତି କଣ ଯେ ହେବ, ତାହା ଭାବିବା ମୁସ୍କିଲ । ପ୍ରଶାସନିକ କଟକଣା ସମେତ ଜନ ସଚେତନତା ଏକାନ୍ତ ଆବଶ୍ୟକ । ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାନଗଲେ ନିକଟ ଭବିଷ୍ୟତରେ ସ୍ଥାନୀୟ ଅଂଚଳକୁ ବଡ଼ ବିପଦ ମାଡ଼ି ଆସିବ, ତାହା ସୁନିଶ୍ଚିତ । ଏ ନେଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ବର୍ତମାନ ପ୍ରତ୍ୟହ ସକାଳ ଓ ସନ୍ଧ୍ୟା ସମୟରେ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ମୃତୟନ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହ କୋଭିଡ଼ କଟକଣାକୁ ମାନି ଚଳିବା ପାଇଁ ପରାମର୍ଶ ଦିଆଯାଉଛି, ଆଗାମୀ ଦିନରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ସ୍ଥାନୀୟ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ଡ଼ାକବାଜି ଯନ୍ତ୍ର ସହାୟତାରେ ସହରବାସୀଙ୍କୁ ସଚେତନ କରାଯାଉଛି । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କୁ ପଂଚସୂତ୍ରୀ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପୌର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଏନଫୋର୍ସମେଂଟ ଟିମ୍ ଗଠନ କରାଯାଇଛି । କୋଭିଡ଼ କଟକଣାକୁ ଅବମାନନା କରୁଥିବା ଅମାନିଆ ମାନଙ୍କ ବିରୋଧରେ ଆଗାମୀ ଦିନରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ( ରିପୋର୍ଟ ସୁଶାନ୍ତ ପ୍ରଧାନ )
No Result
View All Result