ଓଡ଼ିଆ ତାଜା ନ୍ୟୁଜ (୧ ଡିସେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ବଳିଦାନ ଦେଇଛନ୍ତି । ତନ୍ମଧ୍ୟରେ ବରଗଡ ଜିଲ୍ଲା ଘେଁସର ମାଧୋ ସିଂ ଓ ତାଙ୍କ ପରିବାରର ମୁକ୍ତି ସଂଗ୍ରାମର ଅଭୂତପୂର୍ବ ବୀରତ୍ୱର ଗାଥା ସର୍ବଦା ଜାତୀୟ ଇତିହାସରେ ଦୃଷ୍ଟାନ୍ତ ହୋଇ ରହିଛି ବୋଲି ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବୀରତା ଦିବସରେ ଯୋଗଦେଇ ବିଶିଷ୍ଟ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି । ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅତିଥିମାନେ ଶହୀଦ୍ ମାଧୋ ସିଂଙ୍କ ଫଟୋଚିତ୍ରରେ ପୁଷ୍ପଅର୍ଘ ଅର୍ପଣ କରିଥିଲେ । ପରେ ପରେ ଶହୀଦ୍ ମାଧୋ ସିଂଙ୍କ ଉପରେ ଆଧାରିତ ଏକ ପ୍ରାମାଣିକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଟ୍ୱିଟରେ ଏହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ମାଧୋ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବାର୍ତା ବୈଠକରେ ପାଠ କରାଯାଇଥିଲା ।














