
ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ ଓ ସର୍ବନିମ୍ନ ମଜୁରୀ ୪୨ ହଜାର ଟଙ୍କା ଦାବି
ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେବେ ଲକ୍ଷେ ଶ୍ରମିକ, ଓଡ଼ିଶାରୁ ଯୋଗଦେବେ ଶହ ଶହ ଶ୍ରମିକ
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଶ୍ରମିକ, କର୍ମଚାରୀ ଓ ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ନେଇ ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନ୍ସ (ସିଆଇଟିୟୁ) ପକ୍ଷରୁ ଆସନ୍ତା ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସଂସଦ ଅଭିଯାନ ଡାକରା ଦିଆଯାଇଛି। ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ, ବେକାରୀ ଦୂରୀକରଣ, ନିଯୁକ୍ତି ସୃଷ୍ଟି ଓ ସର୍ବନିମ୍ନ ମଜୁରୀ ବୃଦ୍ଧି ଭଳି ପ୍ରମୁଖ ଦାବି ନେଇ ଏହି ଅଭିଯାନ ଆୟୋଜନ କରାଯାଉଛି। ସିଆଇଟିୟୁର ଆହ୍ୱାନରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ଲକ୍ଷ ସଂଗଠିତ ଓ ଅସଂଗଠିତ ଶିଳ୍ପର ଶ୍ରମିକଙ୍କ ସହ ସ୍କିମ୍ ଶ୍ରମିକମାନେ ଏହି ଆନ୍ଦୋଳନରେ ସାମିଲ ହେବେ।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଶ୍ରମିକମାନଙ୍କ ମଜୁରୀ ହ୍ରାସ କରାଯାଉଥିବାବେଳେ ସେମାନଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ କମାଇ ଦିଆଯାଉଛି। ଅନ୍ୟପଟେ ଚାଉଳ, ଡାଲି, ଖାଇବା ତେଲ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଜୀବନଜୀବିକା ଗୁରୁତର ପ୍ରଭାବିତ ହେଉଛି। ବେକାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମସ୍ୟା ବଢ଼ୁଥିବା ଅଭିଯୋଗ କରିଛି ସଂଗଠନ। ଏହି ଅଭିଯାନରେ ସିଆଇଟିୟୁ ପକ୍ଷରୁ ମୋଟ ୧୫ଟି ପ୍ରମୁଖ ଦାବି ଉତ୍ଥାପନ କରାଯିବ। ସେଥିମଧ୍ୟରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଚାରିଟି ଶ୍ରମ କୋଡ୍ ପ୍ରତ୍ୟାହାର, ଏମ୍ଏନ୍ଆରଇଜିଏ ଯୋଜନାର ପୁନଃ କାର୍ଯ୍ୟକାରିତା, ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ, ୪୫ତମ ଓ ୪୬ତମ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ କାର୍ଯ୍ୟକାରୀ କରିବା ଅନ୍ୟତମ।
ସେହିପରି ସର୍ବନିମ୍ନ ମାସିକ ମଜୁରୀ ୪୨ ହଜାର ଟଙ୍କା ଏବଂ ମାସିକ ପେନସନ୍ ୨୧ ହଜାର ଟଙ୍କା କରିବା, ସମସ୍ତ ଖାଲି ପଦବୀ ପୂରଣ, ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ମଜୁରୀ ଓ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଦାବି ରହିଛି। ଏଥିସହ ଧର୍ମଘଟକୁ ଅପରାଧ ଭାବେ ବିବେଚନା କରୁଥିବା ଆଇନ ପ୍ରତ୍ୟାହାର, ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା, ବେଆଇନ ଭୂମି ଅଧିଗ୍ରହଣ ବନ୍ଦ ସହ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନର ଗ୍ୟାରେଣ୍ଟି ଦାବି ମଧ୍ୟ ଉଠାଯିବ। ଏହାବ୍ୟତୀତ ଏସ୍ଆଇଆର୍ ପ୍ରକ୍ରିୟା ବାତିଲ ଏବଂ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଆନ୍ଦୋଳନର ଅନ୍ୟତମ ପ୍ରସଙ୍ଗ ରହିଛି।
ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଶ୍ରମିକ ୟୁନିୟନ୍ଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରଚାର ଓ ପ୍ରସ୍ତୁତି ଚାଲିଛି। ରାଜ୍ୟରୁ ଶହ ଶହ ଶ୍ରମିକ ଦିଲ୍ଲୀ ଯାଇ ଏହି ସଂସଦ ଅଭିଯାନରେ ସାମିଲ ହେବେ। ଓଡ଼ିଶାର ଶ୍ରମିକ ଓ ସାଧାରଣ ଜନତାଙ୍କ ଜୀବନଜୀବିକା ସମ୍ବନ୍ଧୀୟ ଦାବିକୁ ଜାତୀୟ ସ୍ତରରେ ଉଠାଇବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ସାଧାରଣ ସମ୍ପାଦକ ଉଲ୍ଲାସ ସ୍ୱାଇଁ, କୋଷାଧ୍ୟକ୍ଷା ପୁଷ୍ପା ଦାସ, ରମେଶ ଜେନା, ପ୍ରଦୀପ୍ତ ନାୟକ, ସତ୍ୟାନନ୍ଦ ବେହେରା ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଆହ୍ୱାନ ଦେଇଛନ୍ତି।












