ଗତବର୍ଷର ଠକେଇ ପରିମାଣକୁ ଟପିଲା ୨୦୨୬, ଫେରିଲା ମାତ୍ର ୦.୫୫ ପ୍ରତିଶତ ଟଙ୍କା
ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଓଡ଼ିଶାରେ ବଢ଼ି ଚାଲିଛି ସାଇବର ଲୁଟେରାଙ୍କ ଆତଙ୍କ। ମୋବାଇଲରେ ଗୋଟିଏ କ୍ଲିକ୍ରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ। କେଉଁଠି ଅଧିକ ରୋଜଗାର ଓ ଚାକିରିର ପ୍ରଲୋଭନ, ତ ଆଉ କେଉଁଠି ଡିଜିଟାଲ୍ ଆରେଷ୍ଟର ଭୟ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ଏଭଳି ବିଭିନ୍ନ କୌଶଳରେ ମାତ୍ର ୯ ମାସ ମଧ୍ୟରେ ରାଜ୍ୟବାସୀଙ୍କଠାରୁ ୩୦୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଅପରାଧୀ । ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ମୋଟ ୩ ହଜାର ୬୩୦ଟି ସାଇବର ଠକେଇ ମାମଲା ପଞ୍ଜୀକୃତ ହୋଇଛି । ଗତବର୍ଷର ସମାନ ଅବଧି ତୁଳନାରେ ଏହା ୨୯ ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ଠକେଇର ପରିମାଣ ପହଞ୍ଚିଛି ୩୦୫ କୋଟି ୧୯ ଲକ୍ଷ ୬୩ ହଜାର ଟଙ୍କାରେ ।
















