No Result
View All Result

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ରଥଯାତ୍ରା ଅବସରରେ ଗତ ଜୁଲାଇ ୧୬ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକଙ୍କ ମନ ଜିଣିଥିବା ଓଡ଼ିଆ ସାମାଜିକ ଚଳଚ୍ଚିତ୍ର ‘ଦି ମିଲେଟ୍ ଡାଏରୀ’ ଏବେ ଟେଲିଭିଜନ ପରଦାରେ ଧମାଲ ମଚାଇବାକୁ ଯାଉଛି । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ରେ ଏହି ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି । ‘ଇନଫାଇସନ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ଜେଆରଏମ୍ଙ୍କ ପ୍ରଯୋଜିତ ତଥା ରାଜେନ୍ଦ୍ର ମହନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଓଡ଼ିଆ ସିନେଜଗତର ଅନେକ ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି । ଏଥିରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ ଏବଂ ଶ୍ରୀତମ ଦାସଙ୍କ ସମେତ ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା ଓ ରାଜ ରାଜେଶ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଇତିହାସ, ପ୍ରେମ, ସ୍ୱାସ୍ଥ୍ୟ ସଚେତନତା ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ଅନନ୍ୟ ସମନ୍ୱୟ ହେଉଛି ‘ଦି ମିଲେଟ୍ ଡାଏରୀ’ । କଳିଙ୍ଗର ପ୍ରାଚୀନ ଐତିହ୍ୟରୁ ପ୍ରେରଣା ନେଇ ନିର୍ମିତ ଏହି କାହାଣୀରେ ଆମ ପରମ୍ପରାଗତ ଖାଦ୍ୟ ‘ମିଲେଟ୍’ ବା ମାଣ୍ଡିଆର ବିସ୍ମୃତ ପୁଷ୍ଟିକର ଓ ଔଷଧୀୟ ଗୁଣକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇଛି । ଓଡ଼ିଶାର ଆଦିବାସୀ ଏବଂ ଗ୍ରାମୀଣ ଜୀବନଧାରାକୁ ପୃଷ୍ଠଭୂମି କରି ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ, ସରକାରୀ ବିକାଶମୂଳକ ଯୋଜନାର ସହାୟତାରେ ମିଲେଟ୍ ଚାଷ କିଭଳି ଆଦିବାସୀ ପରିବାରଗୁଡ଼ିକୁ ଆର୍ଥିକ ସ୍ୱଚ୍ଛଳତା ଓ ଆତ୍ମନିର୍ଭରଶୀଳତା ଆଡ଼କୁ ବାଟ କଢ଼ାଇ ନେଇପାରିବ ।
କେବଳ ଏକ ସାମାଜିକ ବାର୍ତ୍ତା ନୁହେଁ, ବରଂ ପ୍ରେମ, ସମ୍ପର୍କ, ପରମ୍ପରା ଏବଂ ବ୍ୟକ୍ତିଗତ ପରିବର୍ତ୍ତନର ଏକ ହୃଦୟସ୍ପର୍ଶୀ କାହାଣୀ ଏଥିରେ ବୁଣାଯାଇଛି । ଆମର ପାରମ୍ପରିକ ଖାଦ୍ୟାଭ୍ୟାସକୁ ପୁନର୍ଜୀବିତ କରିବା ସହ ଦୈନନ୍ଦିନ ଖାଦ୍ୟ ତାଲିକାରେ ପୁଷ୍ଟିକର ମିଲେଟ୍କୁ ସାମିଲ କରିବାର ଗୁରୁତ୍ୱକୁ ଏଥିରେ ଦର୍ଶାଯାଇଛି । ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟକୁ ବର୍ତ୍ତମାନ ସମୟର ଜନସ୍ୱାସ୍ଥ୍ୟ, ସ୍ଥାୟୀ କୃଷି ଏବଂ ଗ୍ରାମୀଣ ବିକାଶ ସହ ଯୋଡ଼ିବାରେ ଚଳଚ୍ଚିତ୍ରଟି ସଫଳ ହୋଇଛି । ମିଲେଟ୍ କେବଳ ଏକ ପାରମ୍ପରିକ ଶସ୍ୟ ନୁହେଁ, ବରଂ ଏହା ସୁସ୍ଥ ସମାଜ ଗଠନ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିର ଏକ ବଳିଷ୍ଠ ମାଧ୍ୟମ ବୋଲି ଏହି ସିନେମାରେ ପ୍ରତିପାଦିତ ହୋଇଛି ।
ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରଶାନ୍ତ ପରିଡ଼ା କହିଛନ୍ତି, ଜୀ ସାର୍ଥକ ସର୍ବଦା ଓଡ଼ିଶାର ମାଟି, ପାଣି ଓ ପରମ୍ପରା ସହ ଜଡ଼ିତ ଉଚ୍ଚକୋଟୀର ମନୋରଞ୍ଜନ ଭେଟି ଦେବାକୁ ପ୍ରୟାସ କରିଆସିଛି । ‘ଦି ମିଲେଟ୍ ଡାଏରୀ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଆମ ଓଡ଼ିଶାର ଗୌରବମୟ କୃଷି ପରମ୍ପରା, ସୁସ୍ଥ ଜୀବନଶୈଳୀ ଏବଂ ଗ୍ରାମୀଣ ସଶକ୍ତିକରଣର ଏକ ପ୍ରେରଣାଦାୟୀ କାହାଣୀ । ପ୍ରେକ୍ଷାଳୟରେ ଦର୍ଶକଙ୍କ ଅକୁଣ୍ଠ ଭଲପାଇବା ସାଉଁଟିବା ପରେ ଏବେ ଏହାକୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପହଞ୍ଚାଇବାକୁ ଯାଉଥିବାରୁ ଆମେ ବେଶ୍ ଆନନ୍ଦିତ । ଆସନ୍ତା ନଭେମ୍ବର ୨୨ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଆପଣମାନେ ସପରିବାର ବସି ଜୀ ସାର୍ଥକରେ ଏହି ସୁନ୍ଦର ଚଳଚ୍ଚିତ୍ରଟିକୁ ନିଶ୍ଚୟ ଦେଖନ୍ତୁ ବୋଲି ମୋର ବିନମ୍ର ଅନୁରୋଧ ।

No Result
View All Result