No Result
View All Result

ସଙ୍ଗୀତ, ନୃତ୍ୟ ଓ ଲୋକକଳାର ମନଛୁଆଁ ପରିବେଷଣରେ ମୁଖରିତ ହେଲା ମୁକ୍ତାକାଶ ରଙ୍ଗମଞ୍ଚ
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କୁମାର ଉତ୍ସବ ସମିତି, ପୁରୀ ପକ୍ଷରୁ ଆୟୋଜିତ ୫୯ତମ କୁମାର ଉତ୍ସବ-୨୦୨୬ ପୁରୀର ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଏକ ଭାବପୂର୍ଣ୍ଣ ଓ ଉତ୍ସବମୁଖର ପରିବେଶରେ ଉଦ୍ଘାଟିତ ହୋଇଛି। ଆସନ୍ତାକାଲି ଗୁରୁବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଐତିହ୍ୟସମ୍ପନ୍ନ ସାଂସ୍କୃତିକ ମହୋତ୍ସବର ପ୍ରଥମ ସନ୍ଧ୍ୟା ସଙ୍ଗୀତ, ନୃତ୍ୟ, ଲୋକକଳା ଓ ଭାବପୂର୍ଣ୍ଣ କଳା ପରିବେଷଣରେ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା । ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସଵକୁ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଉଦ୍ଘାଟନ କରିଥିଲେ l

ସମ୍ମାନିତ ଅତିଥି ଭାବେ ହେଲଥ୍ ଅନ୍ ଟପ୍ର ସିଇଓ ଡଃ ରଲହନ୍, ସମାଜସେବୀ ଗିରିଶ ଚନ୍ଦ୍ର ନାୟକ, ସ୍ତମ୍ଭକାର ହରିଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏଥି ସହିତ ସମିତିର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ଉପଦେଷ୍ଟା ମନୋଜ ରଥ ଓ ବିଦୁଲତା ଆଚାର୍ଯ୍ୟ, ଉପସଭାପତି ଅମରେନ୍ଦ୍ର ପାଇକରାୟ, ପ୍ରତିଯୋଗିତା ସଂଯୋଜନା କମିଟିର ଅଧ୍ୟକ୍ଷ ସୁକାନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ମରଣିକା ସମ୍ପାଦକ ଶ୍ରୀକାନ୍ତ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ଅନୁଷ୍ଠାନର ମୁଖପତ୍ର ‘ସ୍ମରଣିକା-୨୦୨୬’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା। ସମିତିର ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ।

ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଶ୍ରୀକ୍ଷେତ୍ର କୁମାର ଓ ଶ୍ରୀକ୍ଷେତ୍ର କୁମାରୀ ସମ୍ମାନ ପ୍ରଦାନ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶ୍ୱେତପଦ୍ମା ଦାଶଙ୍କୁ ‘ଶ୍ରୀକ୍ଷେତ୍ର କୁମାରୀ’ ଏବଂ ମଦର ପବ୍ଲିକ ସ୍କୁଲର ଛାତ୍ର ଭବେଶ ରୋଶନ ସ୍ୱାଇଁଙ୍କୁ ‘ଶ୍ରୀକ୍ଷେତ୍ର କୁମାର’ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ପ୍ରଶାସନିକ ଅଧିକାରୀ ଅମ୍ରିତ୍ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦିବାକର ତ୍ରିପାଠୀ ସ୍ମୃତି ସମ୍ମାନ ଏବଂ ମହିଳା ଅଟୋଚାଳିକା ଚନ୍ଦ୍ରକାନ୍ତି ପଲେଇଙ୍କୁ ସମାଜସେବୀ ଭାରତୀ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହ ପୂର୍ବରୁ ପାର୍ବତୀ ପାଟଯୋଶୀ ମହାପାତ୍ରଙ୍କ ସ୍ମୃତିରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ସବ୍-ଜୁନିୟର ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।

କୁନି କୁନି ପ୍ରତିଭାଙ୍କ ସଫଳତାକୁ ସ୍ୱୀକୃତି ଦେବାର ଏହି ପ୍ରୟାସ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା।ଉଦ୍ଘାଟନୀ ସାଂସ୍କୃତିକ ସନ୍ଧ୍ୟାରେ ରୁପା ଆଣ୍ଡ ଟ୍ରୁପ୍ ପକ୍ଷରୁ ସଙ୍ଗୀତ ରୂପକ ‘କୁଆଁର ପୁନେଇଁ ଜହ୍ନ’, ବୈଭବୀ କଳା କେନ୍ଦ୍ର ପକ୍ଷରୁ ମାହାରୀ ଓ ଓଡ଼ିଶୀ ନୃତ୍ୟ, ବରଦ ମହାବୀର ନୃତ୍ୟ ଗ୍ରୁପ୍ ପକ୍ଷରୁ ମେଢ଼ ନୃତ୍ୟ, ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀର ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ, ଲିଙ୍ଗରାଜ ନୃତ୍ୟାଳୟ ପକ୍ଷରୁ ଆଦିବାସୀ ଲୋକନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ, ସାଇ ସମୃଦ୍ଧି ଡ୍ୟାନ୍ସ ଗ୍ରୁପ୍, ସାକ୍ଷୀଗୋପାଳ ପକ୍ଷରୁ ଦେବୀସ୍ତୁତି ଏବଂ ଲିଙ୍ଗରାଜ କଳା ନିକେତନ, ପୁରୀ ପକ୍ଷରୁ ‘ସର୍ବଭୂତେ ହରି’ ପରିବେଷିତ ହୋଇଥିଲା। ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ନିଖୁଣ କଳାନୈପୁଣ୍ୟ ଓ ମନଛୁଆଁ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ସମଗ୍ର ପରିବେଶକୁ ଉତ୍ସବମୁଖର କରିଥିଲା।
କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଭରତ କୁମାର ନାୟକ, ଶ୍ୟାମ ପ୍ରକାଶ ସେନାପତି ଓ ଜ୍ୟୋତିର୍ମୟୀ ପଣ୍ଡା ସୁନ୍ଦର ଭାବେ ମଞ୍ଚ ସଞ୍ଚାଳନା କରିଥିଲେ।ଏହି ଅବସରରେ ସର୍ବଶ୍ରୀ ଗୌରୀଶଙ୍କର ସାମନ୍ତରାୟ, ସନ୍ତୋଷ ମହାନ୍ତି, ଶୁଭଶ୍ରୀ ଜୟସିଂହ, ନିଗମ ପାତ୍ର, ଲିନୁ ନାୟକ, ଗୌତମ ସାହୁ, କ୍ଷୀରୋଦ କୁମାର ଦାଶ, ସୌମ୍ୟ ରଞ୍ଜନ ନାୟକ, ରାକେଶ କୁମାର ନାୟକ, ଅମ୍ରିତ କୁମାର ସାମନ୍ତରାୟ, ପପି ସାହୁ, ମିର୍ଣ୍ଣାଲିନ ଦାସ, ମନସ୍ମିତା ସାହୁ, ଚନ୍ଦନ କୁମାର ସାହୁ, ପ୍ରୀତିପନ୍ନା କରଣ, ନିରଜ ମହାନ୍ତି,
ପାୟଲ ମହାନ୍ତି, ବନିତା ଦୀକ୍ଷିତ, ପପି ସାହୁ, ରେଶମା ରଣା, ସାହିଲ ମହାନ୍ତି, ସନ୍ତୋଷ ସେନାପତି, ନିହାରିକା ତ୍ରିପାଠୀ, ଶିଶିରକାନ୍ତ ଶତପଥୀ, ପ୍ରମୋଦ ପଟ୍ଟନାୟକ, ବାପିନା ସାମନ୍ତରାୟ, ରଶ୍ମି ରଞ୍ଜନ ପାତ୍ର, ସୁବାଷ ପଟ୍ଟନାୟକ, ମମତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ପୁରୀର ସାଂସ୍କୃତିକ ପରମ୍ପରା ଓ କଳା ଐତିହ୍ୟକୁ ଉଜ୍ଜୀବିତ କରିବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତର କଳାକାରଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏହି ମହୋତ୍ସବର ବିଭିନ୍ନ ସାଂସ୍କୃତିକ, କଳାତ୍ମକ ଓ ପ୍ରତିଭା ବିକାଶମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ।

No Result
View All Result