ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅମଳ ସମୟରେ ବର୍ଷା ଦାଉ ସାଧିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପନିପରିବା ସହ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ପରିଶ୍ରମକୁ ମାଟିରେ ମିଶାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଚାଷୀମହଲରେ ନିରାଶା ଦେଖାଦେଇଛି । ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ପାଣି ଜମି ରହିଛି । ବିଶେଷକରି ଅମଳ ସମୟ ହୋଇଥିବାରୁ ବିଲରେ ପାଚିଲା ଧାନଗଛ ବର୍ଷା ଓ ପବନ ଯୋଗୁଁ ଶୋଇପଡ଼ିବା ସହ ଅନେକ ସ୍ଥାନରେ ପାଣିରେ ବୁଡ଼ି ରହିଛି ।

ଫଳରେ ଧାନ ଅମଳ ହ୍ରାସ ପାଇବା ସହ ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ଚାଷୀଙ୍କ ମନରେ ଭୟ ସୃଷ୍ଟି କରିଛି । ଧାନ ଅମଳ ପାଇଁ ଆଉ କିଛି ଦିନ ଅପେକ୍ଷା କରିଥିବା ଚାଷୀଙ୍କ ଆଶା ଉପରେ ବର୍ଷା ପାଣି ଢାଳି ଦେଇଛି । ଅନ୍ୟପକ୍ଷରେ, ଅଞ୍ଚଳର ବହୁ ଚାଷୀ ବାଇଗଣ, ବିନ୍ସ, ଟମାଟୋ ସମେତ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି । ହେଲେ ଲଗାଣ ବର୍ଷା ଯୋଗୁଁ ପନିପରିବା କ୍ଷେତରେ ପାଣି ଜମି ରହିବାରୁ ଗଛର ବୃଦ୍ଧି, ଫୁଲ ଓ ଫଳ ଧାରଣ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।
















