ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ବୁଧବାର ଦିନ ଲୋକ ଭବନରେ ଇଣ୍ଡିଆନ ଆଇଡଲ ସିଜନ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସଙ୍ଗୀତ କ୍ଷେତ୍ରରେ ପ୍ରଦର୍ଶିତ ଉଲ୍ଲେଖନୀୟ ସଫଳତା ପାଇଁ ଜ୍ୟୋତିର୍ମୟୀଙ୍କୁ ରାଜ୍ୟପାଳ ଏହି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଏହି ଯୁବ ଗାୟିକାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ପ୍ରତିଭା, ନିଷ୍ଠା ଏବଂ ଅଧ୍ୟବସାୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଜ୍ୟୋତିର୍ମୟୀଙ୍କ ସଫଳତା ଓଡ଼ିଶାର ଗୌରବ ବଢ଼ାଇଛି ଏବଂ ଅନେକ ଯୁବପିଢ଼ିଙ୍କୁ ସ୍ୱପ୍ନ ପୂରଣ ପାଇଁ ଦୃଢ଼ ସଂକଳ୍ପ ସହିତ ଆଗେଇ ଯିବାର ପ୍ରେରଣା ପ୍ରଦାନ କରିଛି ବୋଲି ରାଜ୍ୟପାଳ କହିଛନ୍ତି ।

ଜ୍ୟୋତିର୍ମୟୀଙ୍କ ଏହି ସଫଳତା ଓଡ଼ିଶାର ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ପ୍ରତିଫଳିତ କରୁଛି ଏବଂ ଜାତୀୟସ୍ତରରେ ରାଜ୍ୟର ପ୍ରତିଭାକୁ ପରିଚିତ କରାଇଛି ବୋଲି ରାଜ୍ୟପାଳ କହିଛନ୍ତି I ଜ୍ୟୋତିର୍ମୟୀ ନିଜ ସଙ୍ଗୀତ ଯାତ୍ରାରେ ଆହୁରି ଉନ୍ନତି କରିବା ସହ ଅନେକ ଆକାଂକ୍ଷୀ କଳାକାରଙ୍କୁ ପ୍ରେରଣା ପ୍ରଦାନ କରିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଛନ୍ତି । ରାଜ୍ୟପାଳଙ୍କଠାରୁ ସମ୍ବର୍ଦ୍ଧିତ ହୋଇ ଜ୍ୟୋତିର୍ମୟୀ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।
















