୫୦ ବର୍ଷ ପରେ ଏକାଠି ହେଲେ ସହପାଠୀ
ମୂଳୀଝର ମା’ ଉଗ୍ରତାରା ପୀଠରେ ବନ୍ଧୁ ମିଳନ ଉତ୍ସବ, ଦିବଙ୍ଗତ ସହପାଠୀଙ୍କୁ ଶ୍ରଦ୍ଧାଞ୍ଜଳି
ରଣପୁର (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ମୟୂରଝାଲିଆ ହାଇସ୍କୁଲର ୧୯୭୭ ମସିହା ମାଟ୍ରିକ୍ ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ଭାବପ୍ରବଣ ବନ୍ଧୁ ମିଳନ ଉତ୍ସବ ରବିବାର ମୂଳୀଝରସ୍ଥିତ ମା’ ଉଗ୍ରତାରା ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫୦ ବର୍ଷ ପରେ ପରସ୍ପରକୁ ଭେଟି ପୁରାତନ ସହପାଠୀମାନେ ଛାତ୍ରଜୀବନର ମଧୁର ସ୍ମୃତିକୁ ସାଉଁଟିବା ସହ ନିଜ ନିଜ ଜୀବନର ସୁଖ-ଦୁଃଖ ଓ ଅବସରପ୍ରାପ୍ତ ଜୀବନର ଅନୁଭୂତି ବାଣ୍ଟିଥିଲେ।

ଅବସରପ୍ରାପ୍ତ ବିଚାରପତି ତଥା ବରିଷ୍ଠ ନାଗରିକ କଲ୍ୟାଣ ମଞ୍ଚ, ଟାଙ୍ଗୀର ସଭାପତି ଶ୍ରୀ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରଥମେ ଶ୍ରୀଜଗନ୍ନାଥ ଓ ମା’ ଉଗ୍ରତାରାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପରଲୋକଗତ ସହପାଠୀ ରତ୍ନାକର ବୈରିଶଲ, ମଧୁସୂଦନ ସେଠୀ, ରବି ବଳିୟାର ସିଂହ, ଶିବପ୍ରସାଦ ଦାସ ଓ କୃଷ୍ଣମୋହନ ମାହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନାରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ପୂର୍ବତନ ଛାତ୍ର,ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନ ବାଲ୍ୟଜୀବନର ସ୍ମୃତିଚାରଣ କରିବା ସହ ସଭା ପରିଚାଳନା କରିଥିଲେ। ଏହି ଅବସରରେ ସଂଘମିତ୍ରା ପଣ୍ଡା, ନବକିଶୋର ନାୟକ, ସୁରେଶ ଚନ୍ଦ୍ର ଜେନା, ଗୋଲଖ ମଙ୍ଗରାଜ, ଗୋପାଳକୃଷ୍ଣ ଭୋଳ, ବିନାୟକ ସାହୁ, ଜଳନ୍ଧର ତାଡ଼, ତ୍ରୀନାଥ ସେଠୀ, ମାନସ ରଞ୍ଜନ ପଣ୍ଡା,
ବାବାଜୀ ପାତ୍ର, ରବି ବେହେରା, ବିନୋଦ ସ୍ୱାଇଁ, ବିଜୟ ଗୁମାନ ସିଂହ, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ । ଶ୍ରୀ ନାରାୟଣ ମହାପାତ୍ର ଶ୍ରୀରାମଚରିତମାନସର ବିଭିନ୍ନ ଦୋହା ଉଦ୍ଧୃତ କରି ବନ୍ଧୁତ୍ୱର ମହତ୍ତ୍ୱ, ପରସ୍ପର ପ୍ରେମ ଓ ମାନବିକ ସମ୍ପର୍କର ଆବଶ୍ୟକତା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ତାଙ୍କର ପ୍ରେରଣାଦାୟକ ବକ୍ତବ୍ୟକୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।
ନବକିଶୋର ନାୟକ, ସୁରେଶ ଚନ୍ଦ୍ର ଜେନା ଓ ବିନାୟକ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା । ଆସନ୍ତା ବର୍ଷ ଛାତ୍ରଜୀବନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଟାଙ୍କୋଳସ୍ଥିତ ମା’ ତାରା ଦେବୀ ପୀଠରେ ଅଧିକ ବ୍ୟାପକ ଆକାରରେ ବନ୍ଧୁ ମିଳନ ଉତ୍ସବ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଥିଲା। ଶେଷରେ ପ୍ରସାଦ ସେବନ ପରେ ସମସ୍ତ ସହପାଠୀ ଭାବବିହ୍ୱଳ ପରିବେଶ ମଧ୍ୟରେ ପରସ୍ପରକୁ ବିଦାୟ ଜଣାଇଥିଲେ ।














