No Result
View All Result
ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରୀ ବନଖଣ୍ଡ ଅନ୍ତର୍ଗତ ବ୍ରହ୍ମଗିରି ରେଞ୍ଜର ଦିହାପୁର ଓ ଗୋବିନ୍ଦପୁର ଗ୍ରାମରେ ଚାଲୁଥିବା ଦୁଇଟି ବେଆଇନ କରତକଳ ଉପରେ ବନ ବିଭାଗର ସଫଳ ଚଢ଼ାଉ କରି ସରଞ୍ଜାମ ଜବତ କରିଛି l ସ୍ଥାନୀୟ ବିଦ୍ୟୁତ ବିଭାଗର ଭୂମିକାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଜଙ୍ଗଲ ସମ୍ପଦ ଲୁଟ୍ ଓ ପରିବେଶ ଧ୍ୱଂସ ସହ ଜଡ଼ିତ ଏହି ବେଆଇନ ବ୍ୟବସାୟ ଦୀର୍ଘଦିନ ଧରି ଚାଲୁଥିବା ବେଳେ ସମ୍ପୃକ୍ତ ବିଭାଗମାନଙ୍କର ନିରବତାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ବନ ବିଭାଗର ଚଢ଼ାଉ ବେଳେ ଜବତ ହୋଇଥିବା ବ୍ୟାଣ୍ଡସ, ମୋଟର, ଟ୍ରଲି, ବ୍ଲେଡ୍, ଟ୍ରାକ୍ ଓ ଅନ୍ୟାନ୍ୟ ଶକ୍ତିଶାଳୀ ବୈଦ୍ୟୁତିକ ଯନ୍ତ୍ରପାତିରୁ ସ୍ପଷ୍ଟ ହେଉଛି ଯେ, ଏହି କରତକଳଗୁଡ଼ିକ ସାଧାରଣ ଘରୋଇ ବିଦ୍ୟୁତ ସଂଯୋଗରେ ଚାଲିବା ସମ୍ଭବ ନୁହେଁ। ଏହା ପାଇଁ ନିୟମିତ ଓ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ଯୋଗାଣ ଆବଶ୍ୟକ ହୋଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଅଞ୍ଚଳରେ ଏଭଳି ଅଭିଯୋଗ ଶୁଣିବାକୁ ମିଳୁଛି ଯେ, ଏତେ ବଡ଼ ଆକାରର ବେଆଇନ କାରବାର ଦୀର୍ଘ ଦିନ ଧରି ଚାଲିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏହା ସମ୍ପର୍କରେ ଅବଗତ ନଥିବା କଥା ସହଜରେ ବିଶ୍ୱାସଯୋଗ୍ୟ ହୋଇପାରୁନି ବୋଲି ଆଲୋଚନା ହେଉଛି । ଅନେକ ଲୋକଙ୍କ ମତରେ, ଯଦି ନିୟମିତ ଯାଞ୍ଚ ଓ ନିରୀକ୍ଷଣ କରାଯାଇଥାନ୍ତା, ତେବେ ଏହି ବେଆଇନ କରତକଳଗୁଡ଼ିକ ବହୁ ପୂର୍ବରୁ ଠାବ ହୋଇପାରିଥାନ୍ତା।

ଏହାକୁ ନେଇ କେତେକ ସାମାଜିକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି ଯେ, ବଡ଼ ବଡ଼ କଳା ବ୍ୟବସାୟୀମାନେ ଦୀର୍ଘଦିନ ଧରି ବିପୁଳ ପରିମାଣର ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ସାଧାରଣ ଉପଭୋକ୍ତାଙ୍କ ଉପରେ କ୍ରମାଗତ ଭାବେ ବିଦ୍ୟୁତ ଦର ବୃଦ୍ଧିର ବୋଝ ଲଦାଯାଉଛି ।

ଏଭଳି ପରିସ୍ଥିତିରେ ବିଦ୍ୟୁତ ବିଭାଗର ଭୂମିକା ଓ ଦାୟିତ୍ୱକୁ ନେଇ ନିରପେକ୍ଷ ତଦନ୍ତ ଦାବି ହେଉଛି ।ପରିବେଶବିତ୍ମାନଙ୍କ ମତରେ, ବେଆଇନ କରତକଳ କେବଳ ବନ ସମ୍ପଦର କ୍ଷୟକ୍ଷତି ଘଟାଏ ନାହିଁ, ବରଂ ଜୈବ ବିବିଧତା, ବର୍ଷାଚକ୍ର ଓ ପରିବେଶ ସନ୍ତୁଳନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ। ତେଣୁ କେବଳ କରତକଳ ମାଲିକଙ୍କ ବିରୋଧରେ ନୁହେଁ,

ଏଭଳି ବେଆଇନ କାର୍ଯ୍ୟକଳାପକୁ ପରୋକ୍ଷରେ ସହଯୋଗ କରୁଥିବା କିମ୍ବା ଜାଣିଶୁଣି ଅବହେଳା କରୁଥିବା ବ୍ୟକ୍ତି ଓ ବିଭାଗମାନଙ୍କ ଭୂମିକାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ବିଦ୍ୟୁତ ବିଭାଗ ବିରୋଧରେ ଉଠୁଥିବା ଏହି ଅଭିଯୋଗଗୁଡ଼ିକର ସରକାରୀ ଭାବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବନ ବିଭାଗର ଚଢ଼ାଉ ପରେ ସମଗ୍ର ଘଟଣାର ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ ଦାବି ଜୋର ଧରିଛି ।

No Result
View All Result