No Result
View All Result
ବାଲିଗୁଡା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲାର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଓଡ଼ିଆ ନାରୀଙ୍କ ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକ ସାବିତ୍ରୀ ବ୍ରତ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହିନ୍ଦୁ ଧର୍ମାବଳମ୍ବୀ ସଧବା ମହିଳାମାନେ ସ୍ୱାମୀଙ୍କ ମଙ୍ଗଳ, ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ବ୍ରତଧାରୀ ସଧବା ମହିଳାମାନେ ପ୍ରତ୍ୟୁଷରୁ ନିଜ ନିଜର ନିତ୍ୟକର୍ମ ସାରି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା, ଶ୍ରୀଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗାୟତ୍ରୀ ମନ୍ଦିର, ଶିବ ମନ୍ଦିର ଓ ହନୁମାନ ମନ୍ଦିର ଭଳି ବିଭିନ୍ନ ଦେବଦେବୀଙ୍କ ପୀଠରେ ଉପସ୍ଥିତ ରହି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
ପରେ ସାମୁହିକ ଭାବେ ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା । ହାତରେ ଭୋଗ ଓ ମନରେ ଉତ୍ସାହ ନେଇ ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୂର ଓ ଅଳତା ପିନ୍ଧି ମହିଳାମାନେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବ୍ରତ ପାଳନ କରିଥିଲେ । ପ୍ରତ୍ୟୁଷରୁ ମଣ୍ଡପକୁ ଲିପାପୋଛା କରି ସୁନ୍ଦର ଭାବରେ ପୂଜାସ୍ଥଳୀ ସଜାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ଶହରୁ ଅଧିକ ମହିଳାଙ୍କ ସହ ବହୁ କିନ୍ନରମାନେ ମଧ୍ୟ ଏକତ୍ରିତ ହୋଇ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା ।
ପଣ୍ଡିତ ଓ ପୁରୋହିତ ମାନେ ଉପସ୍ଥିତ ରହି ଗଣପତି ପୂଜା, ଲକ୍ଷ୍ମୀ-ନାରାୟଣ ପୂଜା, ସାବିତ୍ରୀ-ସତ୍ୟବାନ ପୂଜା ଓ ସୂର୍ଯ୍ୟ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ସେମାନେ ସାବିତ୍ରୀ ବ୍ରତ କଥା ମୌଖିକ ଭାବେ ବୁଝାଇବା ସହ ପାଠ ମଧ୍ୟ କରିଥିଲେ । ଅନ୍ୟପଟେ, କେତେକ ଘରେ ମଧ୍ୟ ସାବିତ୍ରୀଙ୍କ ପ୍ରତିମା ଗଢ଼ି ବ୍ରତକଥା ଗାଇ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ଶେଷରେ ବ୍ରତଧାରୀ ମହିଳାମାନେ ନିଜ ସ୍ୱାମୀଙ୍କ ପାଦ ପ୍ରକ୍ଷାଳନ କରି ସେହି ଜଳ ସ୍ପର୍ଶ କରିବା ପରେ ପୂଜାରୁ ଆଣିଥିବା ନାନାପ୍ରକାର ଫଳ ଓ ପଣାପାଣି ଭକ୍ଷଣ କରିଥିଲେ ।






No Result
View All Result