ଏସ୍ପି ଅଫିସ ଘେରାଉ ପାଇଁ ଅରୁଣଙ୍କ ଚେତାବନୀ – ୧୪ରେ ଦିଆଯିବ ଦାବିପତ୍ର
ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ ବିଜେପି କର୍ମୀଙ୍କ ଦବଦବା । ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ । ଏଭଳି ପ୍ରସଙ୍ଗ ନେଇ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଷୋଦଗାର କରିଛନ୍ତି ବିଜେଡି ନେତା । ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ଦୁର୍ବଳ ସରକାର ପାଇଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସାଧାରଣ ଜନତାକୁ ଭୟଭୀତ କରିଥିବା କହିଛନ୍ତି ।

ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଅରାଜକତା ବଢ଼ିଛି । ଅପରାଧିମାନେ ଆଇନକୁ ଭୃକ୍ଷେପ କରୁ ନାହାନ୍ତି । ବର୍ବରତା ସୀମା ଅତିକ୍ରାନ୍ତ କରିଛି । ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଦଳୀତ ମହିଳାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାରୁ ଆରମ୍ଭ କରି ପୁରୀ ଜିଲ୍ଲା ବଳଙ୍କା ଯୁବତୀଙ୍କୁ ହତ୍ୟା ଘଟଣା, ଗଞ୍ଜାମରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା, ବ୍ରହ୍ମଗିରିରେ ୬ ବର୍ଷ ଶିଶୁକନ୍ୟାକୁ ଦୁଷ୍କର୍ମ, କଣାସ ଥାନା ଅଞ୍ଚଳରେ ବାଲି ମାଫିଆଙ୍କ ଦୈାରାତ୍ମ ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛନ୍ତି । ନୟାଗଡ଼ ଓଡ଼ଗାଁରେ ଖଣି ମାଫିଆଙ୍କ ଦ୍ୱାରା ହତ୍ୟା ଘଟଣା ସବୁ ସୀମା ଟପିଛି ବୋଲି କହିଛନ୍ତି ।

୨ ବର୍ଷରେ ବିଜେପି ସରକାର ଓଡ଼ିଶାର ଛବିକୁ ମଳିନ କରିଥିବା କହିଛନ୍ତି । ସେହିଭଳି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସୁଧାରିବା ପାଇଁ ଆସନ୍ତା ୧୪ ତାରିଖ ନୟାଗଡ଼ ଏସ୍ପିଙ୍କୁ ଦାବିପତ୍ର ଦିଆଯିବ ବୋଲି । ସମୟ ଅବଧି ମଧ୍ୟରେ ପରିସ୍ଥିତିରେ ସୁଧାର ନଆସିଲେ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ନୟାଗଡ଼ ବିଧାୟକ ବିଭିନ୍ନ ଜିଲ୍ଲାରେ ଘଟୁଥିବା ନୃସଂଶ ହତ୍ୟାକାଣ୍ଡକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଥା କଥାରେ ଗୁଳି, ବୋମା, ଖଣ୍ଡା ଠେଙ୍ଗା ଚାଲୁଛି । ଯେଉଁମାନେ ଆଇନକୁ ହାତକୁ ନେଉଛନ୍ତି, ସେମାନଙ୍କର ପୁଲିସ ପ୍ରତି ତିଳେମାତ୍ର ଭୟ ନାହିଁ ବୋଲି କହିଛନ୍ତି ।

ନିଜେ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗକୁ ତାଗିଦ୍ କରୁଛନ୍ତି । ଅର୍ଥାତ ନିଜେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ୱୀକାର କରୁଛନ୍ତି । ଏଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରକାରଙ୍କ ଚେତାଇବା ପାଇଁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି । ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ ଘଟଣା, ଗଣିଆ ଜିଅନ୍ତ ପୋଡ଼ି ଦେବା ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି । ଗାଁ ଗାଁରେ କଙ୍ଗାରୁକୋର୍ଟ । ନୟାଗଡ଼ ଜିଲ୍ଲାର ସ୍ଥିତି ଅସମ୍ଭାଳ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ ।














