ବଲାଙ୍ଗିର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡ଼ ସାଇମରା ପଞ୍ଚାୟତ ଅଧୀନ ଧାତୁକଜୁରି ଗ୍ରାମରେ ହୀରାଲାଲ ପୁଟେଲ (୨୪)ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରେ ସ୍ୱାମୀ ସ୍ତ୍ରୀ ଜେଲ୍ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧାତୁକଜୁରି ଗ୍ରାମର ଦୁର୍ଯ୍ୟୋଧନ ମାଝୀ (୪୪) ଓ ତାଙ୍କ ସ୍ତ୍ରୀ ଭାନୁମତି ମାଝୀ (୪୨ ) ଗ୍ରାମରେ କୁଚିଆ ମଦ ବିକ୍ରି କରନ୍ତି । ହିରାଲାଲ ମଦ ପିଇବାକୁ ଆସି କୌଣସି କାରଣରୁ ପ୍ରଥମେ ସ୍ୱାମୀ ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ସ୍ତ୍ରୀ ମିଶି ହିରାଲାଲଙ୍କୁ ନିସ୍ତୁକ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରି ଘର ବାହାରେ ଫିଙ୍ଗି ଦେଇଥିଲେ । ତାଙ୍କ ମୁଣ୍ଡ ଫାଟି ଦାନ୍ତ ଭାଙ୍ଗିଯାଇଥିବା ବେଳେ ଗୋଡ଼ରେ ମଧ୍ଯ ଗୁରୁତର ଆଘାତ ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଶନିବାର ସକାଳୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଓ ଅବସ୍ଥା ଅତି ଗୁରୁତର ହେବାରୁ ଭବାନୀପାଟଣା ମେଡ଼ି କାଳରେ ଭର୍ତ୍ତି କରିଛନ୍ତି।
ହୀରାଲାଲଙ୍କ ବଡ଼ ବାପା ଆସି ଥାନାରେ ସ୍ୱାମୀ ସ୍ତ୍ରୀଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଥାନା ଏସଆଇ ପ୍ରମୋଦ କୁମାର ପ୍ରଧାନ ଘଟଣାର ତଦନ୍ତ କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଥିଲେ । ଅଧିକ ତଦନ୍ତ ପରେ ଅଭିଯୁକ୍ତ ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।













