ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି । ସେଥି ମଧ୍ୟରେ ରାସ୍ତା ଘାଟ ସମସ୍ୟା ନ କହିବା ଭଲ । ବାଲିଗୁଡ଼ା ସହରରେ ଥିବା ୧୩ ଟି ଯାକ ୱାର୍ଡ଼ର ରାସ୍ତା ଗୁଡିକ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ରହିଛି, ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ୱାର୍ଡ଼ ବାସୀଙ୍କ ତରଫରୁ ମୌଖିକ ଓ ଲିଖିତ ଭାବେ ଜଣା ଯାଇଥିଲେ ହେଁ ଅଦ୍ୟାବଧି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ ।

ଯେତେବେଳେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସେହି ଗୋଟିଏ ଉତ୍ତର ମିଳେ ଯେ, ରାସ୍ତା ମରାମତି ପାଇଁ ଅର୍ଥ ଓ ଅନୁମତି ମଗାଯାଇଛି, ଆସିଲେ ମରାମତି କରାଯିବ । ଏହି ବିଷୟ ଶୁଣି ଶୁଣି ଅଞ୍ଚଳବାସୀଙ୍କ କାନ ବଧିର ହୋଇଗଲାଣି,ହେଲେ ମରାମତି ର ନା’ ଗନ୍ଧ ନାହିଁ । ଏହିଭଳି ଏକ ଗୁରୁତର ରାସ୍ତା ମରାମତି ପାଇଁ ଦୀର୍ଘ ଦିନ ହେଲା ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବାଲିଗୁଡ଼ା ସହରର ଇଲେକ୍ଟ୍ରିସାହି ଠାରୁ ଫିରିଙ୍ଗିଆ ବ୍ଲକର ସାଡ଼ିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲାଣି ।

ଯାହାକି, ରାସ୍ତା ତମାମ ଖାଲ ଖମା ସହ ମେଟାଲ ବାହାରି ରହିଥିବା ବେଳେ ଇଲେକ୍ଟ୍ରି ସାହି ସହ ଖଜୁରୀନାଳସାହିକୁ ସଂଯୋଗ କରୁଥିବା କଲଭର୍ଟ ପୋଲରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଯାହାଫଳରେ, ଯାନବାହାନ ଯାତାୟାତ ସମୟରେ ସାମାନ୍ୟ ଏପଟ ସେପଟ ହେଲେ ସିଧା ଖାଲରେ ପଡ଼ିବା ସହ ଏକ ବଡ଼ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଛି । ଏହି ରାସ୍ତା ଦେଇ ବାଲିଗୁଡ଼ା ବ୍ଲକର ୪ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଦୈନିକ ଯାତାୟାତ କରୁଥିବା ବେଳେ ଦୁଇଟି ସରକାରୀ ବିଦେଶୀ ମଦ ଦୋକାନ ସହ ଖଡ଼ଗ ନଦୀ ଠାରେ ଟେଣ୍ଡର ନଦୀ ବାଲି ଡିପୋ ରହିଛି ।















