ସେମିଫାଇନାଲକୁ ଉନ୍ନୀତ ହେଲେ ୨୧ ଯୁବ କଣ୍ଠଶିଳ୍ପୀ
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ -୬ ର ପ୍ରଥମ ପର୍ଯ୍ଯାୟ ଅଡିସନ୍ ନୟାଗଡ଼ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼।

ଆଜିର ପ୍ରଥମ ପର୍ଯ୍ଯାୟ ଅଡିସନ୍ କାର୍ଯ୍ୟକ୍ରମକୁ ନୟାଗଡ଼ କ୍ଳବ ସଭାପତି ଅଶୋକ କୁମାର ନାୟକ ଓ ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ୟକ୍ରମର ଚେୟାରମ୍ୟାନ ତଥା ସମାଜସେବୀ ମିହିର ରଂଜନ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ନୟାଗଡ଼ କ୍ଳବ ସଂପାଦକ ଶ୍ରୀଧର ସାହୁ । ଭଏସ୍ ଅଫ୍ ନୟାଗଡ଼ କମିଟିର ନିର୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ,ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଓ ନୟାଗଡ଼ କ୍ଲବର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ନାୟକ, ଅବିନାଶ ସାହୁ, ଲକ୍ଷ୍ମୀନାରାୟଣ ରଥ, ମଦନମୋହନ ମହାପାତ୍ର,ପ୍ରବୀର କୁମାର ପ୍ରୁଷ୍ଟି,ବାସୁଦେବ ସାହୁ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ପ୍ରତିଯୋଗିତାରେ ୮୫ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ। ପ୍ରତିଯୋଗୀମାନେ କ୍ଳାସିକାଲ, ସେମି କ୍ଳାସିକାଲ୍, ଲୋକଗୀତ, ଭଜନ, ଜଣାଣ, ସୁଗମ ସଂଗୀତ ଆଦି ଗାଇଥିବା ବେଳେ ଏଥିରେ ବିଚାରକ ଭାବେ ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ପୀତବାସ ଖଟେଇ, ସଂଗୀତ ଶିକ୍ଷକ ଦେବାଶିଷ ଦାସ ଓ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ୮୫ ଜଣ ଯୁବ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ୨୧ ଜଣଙ୍କୁ ସେମି ଫାଇନାଲ ପର୍ଯ୍ୟାୟକୁ ଚୟନ କରିଥିଲେ ।
ଆସନ୍ତା ୨୩ ତାରିଖ ସକାଳ ୦୯ଟା ସମୟରେ ସେମିଫାଇନାଲ ଓ ସନ୍ଧ୍ଯା ୦୬ଟା ସମୟରେ ଫାଇନାଲ ପ୍ରତିଯୋଗିତା ମାଧ୍ୟମରେ ଶ୍ରେଷ୍ଠ ଯୁବ କଣ୍ଠଶିଳ୍ପୀ ଙ୍କୁ ” ଭଏସ୍ ଅଫ୍ ନୟାଗଡ଼” ଭାବେ ଚୟନ କରାଯିବା ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ନୟାଗଡ଼ କ୍ଳବ ସଂପାଦକ ଶ୍ରୀଧର ସାହୁ ସୂଚନା ଦେଇଛନ୍ତି ।














