ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତୀୟ ସଡ଼କ କଂଗ୍ରେସର ବାର୍ଷିକ ଅଧିବେଶନର ଦ୍ୱିତୀୟ ଦିନରେ ଆୟୋଜିତ ହୋଇଥିଲା ୮୭ତମ ହାଇୱେ ରିସର୍ଚ୍ଚ ବୋର୍ଡ ବୈଠକ । ଶ୍ରୀ ଭି. କେ. ରାଜାୱତ, ଅଧ୍ୟକ୍ଷ, ହାଇୱେ ରିସର୍ଚ୍ଚ ବୋର୍ଡ ଏହି ସଭାର ଅଧ୍ୟକ୍ଷତା କରିବା ସହ ଶ୍ରୀ ରାହୁଲ ଗୁପ୍ତା, ସଚିବ, ଏଚଆରବି, ପ୍ରଫେସର ମନୋରଞ୍ଜନ ପରିଡା, ଅଧ୍ୟକ୍ଷ, ଆଇଆରସି ଓ ନିର୍ଦ୍ଦେଶକ ଏବଂ ସିଆରଆରଆଇ ଉପସ୍ଥିତ ଥିଲେ ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH), ପୂର୍ତ୍ତ ବିଭାଗ (PWD), ବୋର୍ଡର ରୋଡସ୍ ଅର୍ଗାନାଇଜେସନ୍ (BRO) ସହିତ ଆଇଆଇଟି ଓ ସିଆରଆରଆଇ ପରି ପ୍ରମୁଖ ସଂସ୍ଥାର ଅଧିକାରୀ ଓ ଗବେଷକମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସଭାରେ ସଡ଼କ ଗବେଷଣା ଏହାର ବିକାଶର ଓ ସ୍ଥାୟିତ୍ୱ ବୃଦ୍ଧି ପାଇଁ ବୈଜ୍ଞାନିକ ଗବେଷଣାକୁ ପ୍ରାୟୋଗିକ ଭିତ୍ତିରେ କାର୍ଯ୍ୟକାରୀ କରିବା ବିଷୟରେ ଆଲୋଚନା ହୋଇଥିଲା ।
ଏହା ସହ ଭାରତୀୟ ସଡ଼କ କଂଗ୍ରେସ (IRC) ଜର୍ଣ୍ଣାଲ୍କୁ ‘ସ୍ପ୍ରିଙ୍ଗର’ ଭଳି ଏକ ଅନ୍ତର୍ଜାତୀୟ ପ୍ରକାଶକ ମାଧ୍ୟମରେ ପ୍ରକାଶିତ କରାଯିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାଦ୍ୱାରା ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ଏହା ଅଧିକ ଲୋକଙ୍କ ନିକଟରେ ପହଂଚିପାରିବ। ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି । ସଭାରେ, ସଡ଼କ ଗବେଷଣାରେ ପ୍ରତିଯୋଗିତାମୂଳକ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ପାଇଁ ଏସଓପି(SOP) ଅନୁଯାୟୀ ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା କରାଗଲା ।
ଏହା ସହିତ ଉନ୍ନତି ସଡ଼କ ନିର୍ମାଣ କ୍ଷେତ୍ରରେ ପ୍ରଚଳିତ ଗବେଷଣା ପ୍ରୟାସ ଯଥା ରିକ୍ଳେମଡ୍ ଆସ୍ଫାଲ୍ଟ ପେଭମେଣ୍ଟ (RAP) ପାଇଁ ହଟ ରିସାଇକଲଡ ମିକ୍ସ ଡିଜାଇନ୍ ଓ ରାସ୍ତା ନିର୍ମାଣରେ ଫସଫୋଜିପସମର ଅବଶିଷ୍ଟାଂଶକୁ ବିକଳ୍ପ ଓ ସ୍ଥାୟୀ ଉପାଦାନ ଭାବେ ବ୍ୟବହାର ଆଦି ବିଷୟରେ ସମୀକ୍ଷା କରାଗଲା ।
ଆଇଏଏଚଇ (IAHE) ପକ୍ଷରୁ ଆଇଆରସି କୋଡ୍ ଆଧାରିତ ଶିକ୍ଷା ମଡ୍ୟୁଲ୍ ପ୍ରସ୍ତାବ ରାଖାଯାଇଥିଲା, ଯାହା ବୃତ୍ତିଗତ ଦକ୍ଷତା ବୃଦ୍ଧିକୁ ସହାୟତା କରିବ ।
ଏହି ପ୍ରସ୍ତାବଟି ଆଇଆରସି କାଉନସିଲ୍ ଅନୁମୋଦନ ସାପେକ୍ଷରେ ନୀତିଗତ ମଞ୍ଜୁରୀ ପାଇଛି । ସଭା ଶେଷରେ ସମସ୍ତ ସଦସ୍ୟ ନୂତନ ପ୍ରଯୁକ୍ତି ଗ୍ରହଣ, ଗବେଷଣା ସହଯୋଗ ବୃଦ୍ଧି ଓ ଅନୁମୋଦିତ ପ୍ରସ୍ତାବଗୁଡିକର କାର୍ଯ୍ୟାନ୍ବୟନ ମାଧ୍ୟମରେ ଭାରତର ରାଜପଥ ନିର୍ମାଣକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ।














