No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର କମିଶନର ତଥା ଏକାମ୍ର ପ୍ରକଳ୍ପ କୁ ଆଗେଇ ନେବାପାଇଁ ବି ଏମ୍ ସି ନୋଡାଲ ଏଜେନ୍ସି ଭାବେ ରହିଥିବା ବେଳେ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକାମ୍ର ପ୍ରକଳ୍ପ ଅଗ୍ରଗତି ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପାର୍କିଂ, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍, ଜମି ଅଧିଗ୍ରହଣ ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ବିଏମ୍ ସିର ଅତିରିକ୍ତ କମିଶନର, ଭୁବନେଶ୍ୱର ଉପଜିଲ୍ଲାପାଳ, ଓବିସିସି ମୁଖ୍ୟଯନ୍ତ୍ରୀ ଓ ସାଧାରଣ ପରିଚାଳକ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଏସ୍ଆଇର ପ୍ରତିନିଧି, ବିଏମ୍ ସିର ଭୂ-ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । 11 ଶହ ଶତାବ୍ଦୀର ଐତିହାସିକ ଲିଙ୍ଗରାଜ ମନ୍ଦିରର ଆଖପାଖ ଅଂଚଳକୁ ପନର୍ଜୀବିତ କରିବା ସହ ଏକାମ୍ର କ୍ଷେତ୍ରର ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ବଦ୍ଧଭାବେ କରିବା ଏବଂ ଭୁବନେଶ୍ୱର ଐତିହ୍ୟର ସଂରକ୍ଷଣ ଓ ସହରାଞ୍ଚଳ ବିକାଶ ପାଇଁ ପଦେକ୍ଷେପ ନେବା ହେଉଛି ଏହି ପ୍ରକଳ୍ପର ଉଦେଶ୍ୟ ।
ଚାରୁଖଚିତ ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ତୀର୍ଥଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା, ଏକାମ୍ର ପରିସରରେ ସୁନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା କରିବା, ପୁରାତନ ମନ୍ଦିର ଏବଂ ଜଳାଶୟଗୁଡିକର ପୁନରୁଦ୍ଧାର, ପାଦଚଲା ରାସ୍ତାର ବିକାଶ , ପାର୍କିଂ ଓ ସମାବେଶ ସ୍ଥଳ ସୃଷ୍ଟି କରିବା ଏବଂ ଏହି ଅଂଚଳକୁ ୟୁନିସ୍କୋରେ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଁ ସ୍ଥାନିତ କରିବା । ପବିତ୍ର ବିନ୍ଦୁ ସାଗର ହ୍ରଦ ଚାରିପାଖରେ ଉତ୍ସର୍ଗୀକୃତ ପାଦଚଲା ରାସ୍ତାର ବିକାଶ କରିବା ସର୍ବୋପରି ମନ୍ଦିର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି କରିବା ।

କେବଳ ସେତିକି ନୁହେଁ, ମନ୍ଦିର ପରିସର ସହିତ ଜଡିତ ଜୀବନ୍ତ ପରମ୍ପରା ଓ ସାଂସ୍କୃତିକ ଅଭ୍ୟାସକୁ ବୃଦ୍ଧି କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ । ସଂପ୍ରତି ପ୍ରାୟ 7 ଏକର ଘରୋଇ ଜମି ଅଧିଗ୍ରହଣ ସହ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଜମି ଅଧିଗ୍ରହଣ ପାଇଁ ବିଏମ୍ ସି ଖୁବ୍ ଶୀଘ୍ର ଓବିସିସି ସହିତ ଆଲୋନଚା କରିବା ପରେ ଏ ସଂପର୍କିତ ଯୋଜନାର ରୂପରେଖ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ।
ସଂପୃକ୍ତ ଅଂଚଳରେ ସ୍ୱରେଜ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଓ୍ୱାଟକୋକୁ ନିର୍ଦେଶ ଦିଆଯାଇଛି । ଲିଙ୍ଗରାଜ ମହାପ୍ରଭୁଙ୍କର ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ଏବେଠାରୁ ତ୍ୱରାନ୍ୱିତ କରିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି ।

No Result
View All Result