No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ପମ୍ପାଲୋ ଗ୍ରାମ ପଞ୍ଚାୟତର ତରଡାପଡା, ସାହାଣୀସାହି,ନୂଆପଡ଼ା ସମେତ ପ୍ରାୟ ୧୦ ରୁ ଅଧିକ ଗ୍ରାମରେ ଗତ ତିନିଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଥିଲା।ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ବିଭାଗର ଚରମ ଅବହେଳାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସରପଞ୍ଚ ଓ ବିଡ଼ିଓ ଙ୍କ ଅନୁରୋଧକୁ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଭ୍ରୁକ୍ଷେପ ନକରିବାରୁ ଏହି ଅଞ୍ଚଳର ଶତାଧିକ ଲୋକ ବାଲିପାଟଣା ସ୍ଥିତ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ।
ଜୟଦେବର ବିଧାୟକ ନବକିଶୋର ମଲ୍ଲିକଙ୍କ ହସ୍ତକ୍ଷେପ ପରେ ପୋଡ଼ି ଯାଇଥିବା ସ୍ମାର୍ଟ ମିଟର ଲାଗିଥିଲା ଓ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଏହି ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ମନମୁଖୀ କାର୍ଯ୍ୟକ୍ରମ ଦ୍ବାରା ଉପଭୋକ୍ତାମାନେ ଅତିଷ୍ଠ ହୋଇ ପଡିଲେଣି। ଆଖି ଦେଖାଇ ଲାଇନ୍ କାଟିବାଠାରୁ ଆରମ୍ଭ କରି ମନ ଇଚ୍ଛା ଜୋରିମାନା ଆଦାୟ କରିବା ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବ ରହୁଛନ୍ତି।
ସ୍ମାର୍ଟ ମିଟର ନାମରେ ସ୍ମାର୍ଟ ଠକେଇ ହୋଇ ବାରମ୍ୱାର ମିଟର ମୂଲ୍ୟ ବାବଦରେ ଅର୍ଥ ଆଦାୟ ହୋଇ ଚାଲିଛି। ପ୍ରାୟ ପ୍ରତିଦିନ ବିଦ୍ୟୁତ୍ କାଟ ହେଉଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ଅଥବା ସରକାରଙ୍କ ତରଫରୁ ତୁରନ୍ତ ହସ୍ତକ୍ଷେପ ପାଇଁ ସ୍ଥାନୀୟ ଉପଭୋକ୍ତା ମାନେ ଦାବି କରିଛନ୍ତି । ଯଦି ଏହାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ସତର୍କ କରାଇଦିଆଯାଇଛି ।
No Result
View All Result