No Result
View All Result
୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଚେରୀ ପଡିଆ ଠାରେ ଆୟୋଜିତ ବାଙ୍କୀ ମହୋତ୍ସବ-୨୦୨୪କୁ ଆଜି ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବିଷାରଦ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉଦ୍ଘାଟନ କରି କହିଲେ ଯେ ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ । ସ୍ୱାଧୀନତା ଆନ୍ଦୋଳନ ଠାରୁ ସମବାୟ ଆନ୍ଦୋଳନ ଯାଏଁ ବାଙ୍କୀର ଅବଦାନ ଓଡିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନମାନେ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି । ଗୌରବାଜ୍ୱଳ ଅତୀତ ସହ ବର୍ତ୍ତମାନର ପ୍ରଗତିଶୀଳ ଓଡିଶାର ଚିତ୍ରକୁ ଯୁବପିଢୀଙ୍କ ପାଖରେ ଉପସ୍ଥାପନ କରାଇବା ପାଇଁ ବାଙ୍କୀ ମହୋତ୍ସବର ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ମହୋତ୍ସବ ବାଙ୍କୀବାସୀ ଭାଇଭଉଣୀମାନଙ୍କ ମନରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବ ବୋଲି ସେ କହିଥିଲେ । କଟକର ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଓଡ଼ିଶାର ଋଦ୍ଧିମନ୍ତ ଐତିହ୍ୟ ପରମ୍ପରା, ଇତିହାସ ଭୂଗୋଳରେ ବାଙ୍କୀ ବିଶେଷ ପରିଚିତ ଓ ପ୍ରତିଷ୍ଠା ରହିଛି ।
ଓଡିଶାର ସାହିତ୍ୟ, ସଂସ୍କୃତି, କଳା ଓ ଜୀବନ ଶୈଳୀକୁ ବାଙ୍କୀର ଅବଦାନ ଉଲେଖନୀୟ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଯୋଗଦେଇ କହିଲେ ପରମ୍ପରା ପ୍ରଗତି, ଧାର୍ମିକପୀଠ ଭାବେ ବାଙ୍କୀ ଆଧୂନିକ ସମାଜର ନେତୃତ୍ୱ ନେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ । ବିଧାୟକ ତଥା ମହୋତ୍ସବ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ କହିଲେ ଯେ ବାଙ୍କୀ ହେଉଛି ଜଗତଜନନୀ ମା’ଚର୍ଚ୍ଚିକାଙ୍କ ପୂଣ୍ୟପୀଠ । ବାଙ୍କୀର କ୍ରୀଡା, ସାହିତ୍ୟ, ଐତିହ୍ୟ, କଳା ସଂସ୍କୃତିକୁ ଉଜ୍ଜିବୀତ କରି ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ବାଙ୍କୀ ମହୋତ୍ସବରେ ଏହି ମାଟିକୁ ଗରୀୟାନ କରିବାରେ ଅତୁଳନୀୟ ଅବଦାନ ଥିବା ବୀରାରାଣୀ ଶୁକଦେଈ, ସମାଜ ସଂଗଠକ ଗୋବିନ୍ଦ ରଥ, ଓଡିଆ ସଂସ୍କୃତିର ଦିଗ୍ଦର୍ଶନ ନୀଳମଣି ବଦ୍ୟାରତ୍ନ, ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ଭଳି ପୁଣ୍ୟାତ୍ମାକୁ ଆମେ ସ୍ମରଣ କରିବା ।
ସମ୍ମାନିତ ଅତିଥି ଭାବେ ବାଙ୍କୀ ଏନ୍.ଏ.ସି ନଗରପାଳ ମାଣିକ ସାହୁ ଯୋଗଦେଇ କହିଲେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ଅଶେଷ କରୁଣାରୁ ଆଜି ଏ ମହୋତ୍ସବ ଲୋକ ଉତ୍ସବରେ ପରିଣତ ହୋଇ ସମଗ୍ର ଓଡ଼ିଶାକୁ ଦିଗ୍ ଦର୍ଶନ ଦେଖାଇଛି । ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ଯୋଗଦେଇ କହିଲେ ବାଙ୍କୀ ମହୋତ୍ସବ ଆଜି ସାରା ଓଡ଼ିଶାକୁ ଦିଗ୍ଦର୍ଶନ ଦେଖାଇଛି । ଉପଜିଲ୍ଲାପାଳ ତଥା ମହୋତ୍ସବ ଉପଦେଷ୍ଟା ଦେବୀପ୍ରସାଦ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ବାଙ୍କୀରାଣୀ ଶୁକଦେଈଙ୍କ ବୀରତ୍ୱ ଆମ ଯୁବପିଢୀଙ୍କ ପ୍ରେରଣାର ଉତ୍ସ ହୋଇ ରହିବ ଏବଂ ବହୁ ଯୋଗଜନ୍ମା ପ୍ରତିଭାଧାରୀଙ୍କ ଜନ୍ମଭୂମି ଓ କର୍ମଭୂମି ଭାବେ ବାଙ୍କୀ ପ୍ରସିଦ୍ଧ ଲାଭ କରିଛି । ଆଜିର ଉଦ୍ଘାଟନ ଉତ୍ସବରେ ବାଙ୍କୀ ମହୋତ୍ସବ ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ ଯେ ୨୫ବର୍ଷରେ ପଦାର୍ପଣ କରିଥିବା ବାଙ୍କୀ ମହୋତ୍ସବ ଆଜି ଯୁବକତ୍ୱ ଲାଭ କରିଛି ।
ବାଙ୍କୀ ଜନତାଙ୍କ ଅପୁରନ୍ତ ସାହାଯ୍ୟ ସହଯୋଗ ଆଧାରରେ ଆଜି ମହୋତ୍ସବ ପ୍ରାଣବନ୍ତ ହୋଇଛି । ଆଜି କୁମାର ଉତ୍ସବ ଓ କୁମାର ପୂର୍ଣ୍ଣିମା ଅବସରରେ କରୁଣାମୟୀ ମା’ଚ୍ଚର୍ଚ୍ଚିକା ବାଙ୍କୀ ଓ ବାରଙ୍ଗ ଅଞ୍ଚଳର ଜନସାଧାରଣଙ୍କ ସର୍ବ ବିଦ୍ଧ ବିକାଶ ଓ ଉନ୍ନତି ପାଇଁ ଆମକୁ ଶକ୍ତି ଓ ଆଶୀର୍ବାଦ କରିବାକୁ ସେ ପ୍ରାର୍ଥନା କରିଥିଲେ । ଆଜିର ଉତ୍ସବରେ ନ୍ୟାୟମୂର୍ତ୍ତି ସରୋଜିନୀ ମହାପାତ୍ର ଓ ବିଶିଷ୍ଟ ଚିକିତ୍ସକ ଡାକ୍ତର କେଦାରନଥ ପଣ୍ଡାଙ୍କୁ ଯୁଗ୍ମ “ଚର୍ଚ୍ଚିକା ସମ୍ମାନ” ପ୍ରଦାନ କରାଯାଇଛି । ରାମଲୀଳା ଅଭିନେତା ବାଞ୍ଛାନିଧି ସ୍ୱାଇଁ , ପାଲାଗାୟକ ଭୀମସେନ ନାୟକ, ଆଦର୍ଶ ଶିକ୍ଷକ ଲୋକନାଥ ପଣ୍ଡା, ବେଦଜ୍ଞ ପଣ୍ଡିତ ଶେଷଦେବ ଷଡଙ୍ଗୀ, ଗାୟନାଚାର୍ଯ୍ୟ ହୃଦାନନ୍ଦ ବେଉରା, ଶିକ୍ଷାବିତ୍ ଅଶୋକ ମହାପାତ୍ର, ସମାଜସେବୀ ଯୁଗଳକିଶୋର ଭୂତ ଓ ଶଶାଙ୍କ ଶେଖର ସ୍ୱାଇଁ, ଶିକ୍ଷା ସଂଗଠକ ଅଭୟ କୁମାର ମହାନ୍ତି ।
ଯୋଗାଚାର୍ଯ୍ୟ ପ୍ରସନ୍ନ ପଣ୍ଡା, ପ୍ରଶାସକ ପ୍ରତାପ କୁମାର ବେଉରା, ଗବେଷକ ସୁରେଶ୍ୱର ବେହେରା, କୀର୍ତ୍ତନ ଗାୟକ ସୁବାସ ଚନ୍ଦ୍ର ମହାପାତ୍ର, ନାଟ୍ୟକାର ବସନ୍ତ କୁମାର ସାହୁ, ଯୁବଦ୍ୟୋଗୀ ଦୀପକ କୁମାର ସାହୁ, କଣ୍ଠଶିଳ୍ପୀ ଦେବୀଦତ୍ତ ବିଭୂତିରାୟ, , ଉଦ୍ଘୋଷକ ମନୋଜ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ମାନସ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବି ତଥା ସାହିତ୍ୟିକ କୌଶିକ ନାୟକଙ୍କ ଦ୍ୱାରା ସଂପାଦିତ ବାଙ୍କୀ ମହୋତ୍ସବର ସ୍ମରଣିକା ପୁସ୍ତକକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ମହୋତ୍ସବ ସମ୍ପାଦକ ଡଃ.ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଦୀର୍ଘ୨୫ବର୍ଷ ଧରି ପାଳିତ ହେଉଥିବା ବାଙ୍କୀ ମହୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମହୋତ୍ସବ କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ମା’ଚର୍ଚ୍ଚିକାଙ୍କ ପୁଣ୍ୟ ପୀଠରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ମା’ଙ୍କ “ଆଜ୍ଞା ମ।ଳ ଓ ଜ୍ୟୋତି” ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱ ଏବଂ ମା’ଚର୍ଚ୍ଚିକା ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଅଣାଯାଇ ବାଙ୍କୀ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯାଇଥିଲା । ମହୋତ୍ସବ ସଂପାଦକ ପ୍ରକାଶ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ଏହି ମହୋତ୍ସବ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗକରିଥିଲେ ।
No Result
View All Result