୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଚେରୀ ପଡିଆ ଠାରେ ଆୟୋଜିତ ବାଙ୍କୀ ମହୋତ୍ସବ-୨୦୨୪କୁ ଆଜି ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବିଷାରଦ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଉଦ୍ଘାଟନ କରି କହିଲେ ଯେ ବାଙ୍କୀର ଐତିହ୍ୟ ଓ ଇତିହାସ ସୁଦୂର ପ୍ରସାରୀ । ସ୍ୱାଧୀନତା ଆନ୍ଦୋଳନ ଠାରୁ ସମବାୟ ଆନ୍ଦୋଳନ ଯାଏଁ ବାଙ୍କୀର ଅବଦାନ ଓଡିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନମାନେ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି । ଗୌରବାଜ୍ୱଳ ଅତୀତ ସହ ବର୍ତ୍ତମାନର ପ୍ରଗତିଶୀଳ ଓଡିଶାର ଚିତ୍ରକୁ ଯୁବପିଢୀଙ୍କ ପାଖରେ ଉପସ୍ଥାପନ କରାଇବା ପାଇଁ ବାଙ୍କୀ ମହୋତ୍ସବର ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ମହୋତ୍ସବ ବାଙ୍କୀବାସୀ ଭାଇଭଉଣୀମାନଙ୍କ ମନରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବ ବୋଲି ସେ କହିଥିଲେ । କଟକର ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଓଡ଼ିଶାର ଋଦ୍ଧିମନ୍ତ ଐତିହ୍ୟ ପରମ୍ପରା, ଇତିହାସ ଭୂଗୋଳରେ ବାଙ୍କୀ ବିଶେଷ ପରିଚିତ ଓ ପ୍ରତିଷ୍ଠା ରହିଛି ।
ଓଡିଶାର ସାହିତ୍ୟ, ସଂସ୍କୃତି, କଳା ଓ ଜୀବନ ଶୈଳୀକୁ ବାଙ୍କୀର ଅବଦାନ ଉଲେଖନୀୟ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଯୋଗଦେଇ କହିଲେ ପରମ୍ପରା ପ୍ରଗତି, ଧାର୍ମିକପୀଠ ଭାବେ ବାଙ୍କୀ ଆଧୂନିକ ସମାଜର ନେତୃତ୍ୱ ନେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସେ କହିଥିଲେ । ବିଧାୟକ ତଥା ମହୋତ୍ସବ କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ କହିଲେ ଯେ ବାଙ୍କୀ ହେଉଛି ଜଗତଜନନୀ ମା’ଚର୍ଚ୍ଚିକାଙ୍କ ପୂଣ୍ୟପୀଠ । ବାଙ୍କୀର କ୍ରୀଡା, ସାହିତ୍ୟ, ଐତିହ୍ୟ, କଳା ସଂସ୍କୃତିକୁ ଉଜ୍ଜିବୀତ କରି ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ବାଙ୍କୀ ମହୋତ୍ସବରେ ଏହି ମାଟିକୁ ଗରୀୟାନ କରିବାରେ ଅତୁଳନୀୟ ଅବଦାନ ଥିବା ବୀରାରାଣୀ ଶୁକଦେଈ, ସମାଜ ସଂଗଠକ ଗୋବିନ୍ଦ ରଥ, ଓଡିଆ ସଂସ୍କୃତିର ଦିଗ୍ଦର୍ଶନ ନୀଳମଣି ବଦ୍ୟାରତ୍ନ, ରାୟବାହାଦୁର ବିଦ୍ୟାଧର ପଣ୍ଡାଙ୍କ ଭଳି ପୁଣ୍ୟାତ୍ମାକୁ ଆମେ ସ୍ମରଣ କରିବା ।
ସମ୍ମାନିତ ଅତିଥି ଭାବେ ବାଙ୍କୀ ଏନ୍.ଏ.ସି ନଗରପାଳ ମାଣିକ ସାହୁ ଯୋଗଦେଇ କହିଲେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ଅଶେଷ କରୁଣାରୁ ଆଜି ଏ ମହୋତ୍ସବ ଲୋକ ଉତ୍ସବରେ ପରିଣତ ହୋଇ ସମଗ୍ର ଓଡ଼ିଶାକୁ ଦିଗ୍ ଦର୍ଶନ ଦେଖାଇଛି । ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ଯୋଗଦେଇ କହିଲେ ବାଙ୍କୀ ମହୋତ୍ସବ ଆଜି ସାରା ଓଡ଼ିଶାକୁ ଦିଗ୍ଦର୍ଶନ ଦେଖାଇଛି । ଉପଜିଲ୍ଲାପାଳ ତଥା ମହୋତ୍ସବ ଉପଦେଷ୍ଟା ଦେବୀପ୍ରସାଦ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ବାଙ୍କୀରାଣୀ ଶୁକଦେଈଙ୍କ ବୀରତ୍ୱ ଆମ ଯୁବପିଢୀଙ୍କ ପ୍ରେରଣାର ଉତ୍ସ ହୋଇ ରହିବ ଏବଂ ବହୁ ଯୋଗଜନ୍ମା ପ୍ରତିଭାଧାରୀଙ୍କ ଜନ୍ମଭୂମି ଓ କର୍ମଭୂମି ଭାବେ ବାଙ୍କୀ ପ୍ରସିଦ୍ଧ ଲାଭ କରିଛି । ଆଜିର ଉଦ୍ଘାଟନ ଉତ୍ସବରେ ବାଙ୍କୀ ମହୋତ୍ସବ ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କହିଲେ ଯେ ୨୫ବର୍ଷରେ ପଦାର୍ପଣ କରିଥିବା ବାଙ୍କୀ ମହୋତ୍ସବ ଆଜି ଯୁବକତ୍ୱ ଲାଭ କରିଛି ।