ବ୍ୟାଙ୍କର ଉତ୍ପାଦ ଏବଂ ଆର୍ଥିକ ସଚେତନତା ଅଭିଯାନ ପାଇଁ କାନାରା ବ୍ୟାଙ୍କର ପଦକ୍ଷେପ
୨୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସାଧାରଣ ଲୋକମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ତଥା ବ୍ୟାଙ୍କର ଉତ୍ପାଦଗୁଡିକ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବା ନିମନ୍ତେ କାନାରା ବ୍ୟାଙ୍କ ତରଫରୁ ଏଲ୍ଇଡି ଭ୍ୟାନ୍ କାନାରା ରଥର ଆରମ୍ଭ କରାଯାଇଛି । କାନାରା ବ୍ୟାଙ୍କ ରାଜ୍ୟ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ଏହି କାର୍ୟ୍ୟକ୍ରମର ଉଦ୍ଘାଟନ କରିଥିଲେ ।
ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଜଗଦୀଶ ଚନ୍ଦର ସୂଚନା ଦେଇଛନ୍ତି ଯେ ଆଗାମୀ ୫/୬ ଦିନ ମଧ୍ୟରେ ଏହି କାନାରା ରଥ ଭୁବନେଶ୍ୱର, କଟକ, ଭଦ୍ରକ, ସମ୍ବଲପୁର, ରାଉରକେଲା ଏବଂ ବ୍ରହ୍ମପୁର ଆଦି ରାଜ୍ୟର ପ୍ରମୁଖ ସହରଗୁଡିକ ସହ ୧୦ରୁ ୧୫ ଟି ଶାଖା ଓ ମାର୍କେଟ ସ୍ଥଳୀ କଭର କରିବ । କାନାରା ରଥ ମାଧ୍ୟମରେ ବ୍ୟାଙ୍କର ଗୃହ ଋଣ, ଗାଡି ଋଣ, ସ୍ୱର୍ଣ୍ଣ ଋଣ, ଏମ୍ଏସ୍ଏମ୍ଇ ଋଣ, ଖୁଚୁରା ମିଆଦୀ ଜମା ଆଦି ଉତ୍ପାଦ ଓ ସେବା ଗୁଡିକ ଉପରେ ଆଲୋକପାତ କରାଯିବ ।
କାନାରା ବ୍ୟାଙ୍କର ମହାପ୍ରବନ୍ଧକ କହିଛନ୍ତି ଯେ, ଏହି କାନାରା ରଥ ମାଧ୍ୟମରେ ପାରମ୍ପରିକ ବ୍ୟାଙ୍କିଙ୍ଗ୍ ସେବା ବ୍ୟତୀତ ପ୍ରତ୍ୟକ୍ଷ ଲାଭ ଯୋଜନା ଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରାଯିବ ଯାହା ଦ୍ୱାରା ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ମିଳି ପାରିବ । ଏଥିରେ ସରକାରୀ ସବସିଡି ଓ ଜନକଲ୍ୟାଣ କାର୍ୟ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ଯାହା ଜୀବନର ଗୁଣାତ୍ମକ ମାନବୃଦ୍ଧିରେ ସହାୟକ ହେବ ।















