୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିରେ ରହୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟାକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି। ଜଣେ ଦୃଷ୍ଟିବାଧିତ କନ୍ୟାକୁ ଆପଣାଇ ଆମେରିକୀୟ ଦମ୍ପତି ଲୋକଙ୍କ ହୃଦୟ ଜିତିଛନ୍ତି। ଆମେରିକାର କାରଲାଇଜଲି ଏଭିନ୍ୟୁ ହେନରିକୋର ଦମ୍ପତି ଆରୋନ ମିଚେଲ ୱିଲସନ ଓ ତାଙ୍କ ପତ୍ନୀ ଡାନିଲେ ରିକିଆ ୱିଲସନ ସମସ୍ତ ସରକାରୀ ନିତି ନିୟମ ତଥା ଜିଲା ମାଜିଷ୍ଟ୍ରେଟଙ୍କ ସମସ୍ତ ନୀତି ନିୟମକୁ ମାନି ଓ କାଗଜପତ୍ର କାମ ସମ୍ପୂର୍ଣ୍ଣ କରି ବାଲିଗୁଡା ବନବାସୀ ସେବା ସମିତିରେ ରହି ଆସୁଥିବା ଜଣେ ଦୃଷ୍ଟିବାଧିତ ଶିଶୁକନ୍ୟା ଇତିକୁ ପୋଷ୍ୟସନ୍ତାନ ଭାବରେ ଆପଣାଇଛନ୍ତି।

ଅନାଥ ଇତି(କନ୍ୟା) ଗତ ୬/୪/୨୦୨୧ ମସିହାରୁ ବନବାସୀ ସେବା ସମିତିରେ ଶିଶୁଗୃହରେ ରହିଆସୁଥିଲା। ବର୍ତ୍ତମାନ ତାକୁ ବୟସ ତିନି ବର୍ଷ ଚାରି ମାସ।ଦମ୍ପତି ବନବାସୀ ସେବା ସମିତିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁକୁ ଗ୍ରହଣ କରିଥିବାର ଜଣାଯାଇଛି। ଆମେରିକା ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରଜତ କୁମାର ଦିଗାଳ ଏବଂ ଅନ୍ୟ ସଦସ୍ୟମାନଙ୍କ ସହିତ ଡିସିପିଓ ରଶ୍ମିତା କରନ୍, ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।















