No Result
View All Result
୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ୧୧ନମ୍ବର ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ ଜନପ୍ରତିନିଧି ମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତର ଜନସାଧାରଣ ଅତି ଦୁର୍ଗମ ଅଞ୍ଚଳ ତଥା ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ସୀମାନ୍ତ ବର୍ଗ ଅଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ସମେତ ସରାମୂଳି, ଗଦାପୁର, ତାଜୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରିଗୁଡା,

କୁମ୍ଭାରୀଗାଁ, କାଟିଙ୍ଗିଆ ପଞ୍ଚାୟତ ଓ ଏହାର ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୪୦ ରୁ ୭୦ କିମି ଦୂରରେ ରହିଛି । ମିଞ୍ଜାପଙ୍କା, ସାଲବା, ରାମ୍ବୁଲି, ହରଗୁଡ଼ା ଆଦି ଗ୍ରାମରୁ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପାଇଁ ବ୍ଲକ୍ କିମ୍ବା ତହସିଲ କାର୍ଯ୍ୟାଳୟକୁ ଯାଇ ଫେରିବା ପାଇଁ ୧ରୁ ୨ ଦିନ ଲାଗିଥାଏ । ଯାହାଦ୍ୱାରା ଲୋକଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ପୀଡ଼ା ଭୋଗିବାକୁ ପଡ଼ିଥାଏ । ଲୋକସଂଖ୍ୟା ଦୃଷ୍ଟିରୁ ଏହି ୮ଟି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଦିନ ମଜୁରିଆ ଭାବେ କାମ କରନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ଅନେକ ଗ୍ରାମ ଅପହଞ୍ଚ ଇଲାକାରେ ରହୁଥିବାରୁ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚିପାରୁ ନଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ ।
ବିଶେଷ କରି ପିଲାଙ୍କ ଭବିଷ୍ୟତ ପାଠପଢା ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣ ପତ୍ର, ଜମି ବନ୍ଦୋବସ୍ତ, ଜମି ଚିହ୍ନଟ ଆଦି କାର୍ଯ୍ୟ ପାଇଁ ବାରମ୍ବାର ଦାରିଙ୍ଗବାଡ଼ି ତହସିଲ ଅଫିସକୁ ଯାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ୨୦୧୦ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ବର୍ମା ଜଣେ ଅତିରିକ୍ତ ତହସିଲଦାର ପ୍ରତାପ ପ୍ରଧାନଙ୍କୁ ବ୍ରାହ୍ମଣୀଗାଁ ରେ ନିଯୁକ୍ତ କରିଥିଲେ । କିନ୍ତୁ କିଛି ମାସ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନଟି ଖାଲି ପଡିଛି ।

No Result
View All Result