ମାଆଙ୍କ ଆଜ୍ଞାରେ ଉଷୁନା ଧାନରୁ ଗଜା ହୁଅଇ
୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବୋଲଗଡ :-> ଓଡିଶାରେ ବର୍ଷକ ବାରମାସରେ ତେରପର୍ବ ମଧ୍ୟରୁ ଚୈତ୍ରମାସର ଦଣ୍ଡପର୍ବ ହେଉଛି ଅନ୍ୟତମ। ଦକ୍ଷିଣ ଓଡ଼ିଶାରେ ଦଣ୍ଡପର୍ବକୁ ଚଇତି ପର୍ବ ଭାବରେ ନିଷ୍ଠା ସହିତ ଓ ମହା ଆଡ଼ମ୍ବରସହକାରେ ପାଳନ କରୁଅଛନ୍ତି । ବୋଲଗଡ ବ୍ଲକ ଅଞ୍ଚଳରେ ଦଣ୍ଡପର୍ବକୁ ଭାବଭକ୍ତି ଓ ଆନନ୍ଦ ଉତ୍ସାହରେ ପାଳନ କରୁଅଛନ୍ତି । କାହିଁ କେଉଁ କାଳରୁ ଲୋକମାନଙ୍କର ପ୍ରଗାଢ଼ ବିଶ୍ୱାସ ଓ ମାନସିକ ପୂରଣ ପାଇଁ ଦଣ୍ଡପର୍ବକୁ ପାଳନ କରିବା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଚୈତ୍ର ମାସରେ ଦଣ୍ଡ ପର୍ବକୁ ମାନସିକ ଭକ୍ତମାନେ ମା ‘କାଳୀଙ୍କୁ ଉପାସନା କରିଥାଆନ୍ତି l
ଵିଧିପୂର୍ବକ ମା ଦଣ୍ଡକାଳୀଙ୍କ ପୀଠ (କୋଠୀ)ରେ ଭିନ୍ନ ଭିନ୍ନ ସ୍ଥାନରେ ୯ଦିନ,୧୩ଦିନ ଓ ୨୧ଦିନିଆ ପାଣି ତୋଳାଯାଇ ଭକ୍ତମାନେ ମାନସିକ କରି ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି l ପାଣିତୋଳାର ପ୍ରାରମ୍ଭ ଦିବସର ବିଳମ୍ବିତରାତ୍ରିରେ ମା ‘ଦଣ୍ଡକାଳୀଙ୍କୁ ନେଇ ଦଣ୍ଡୁଆମାନେ ଗ୍ରାମର ନିର୍ଦ୍ଦିଷ୍ଟ ପୋଖରୀକୁ ଯାଇ ସ୍ନାନ, ହୋମକରି ଵିଧିବଧ ଭାବରେ ସଂକଳ୍ପ କରି ପଇତା ପକାଇ ଭଗତା ହୋଇଥାନ୍ତି । ଆରମ୍ବରୁ ୧୩ ଦିନ ପର୍ଯ୍ୟନ୍ତ ନିଷ୍ଠା ସହକାରେ ଉପବାସ ରହି ପ୍ରତିଦିନ ଅପରାହ୍ନରେ ସ୍ନାନକରି ମନ୍ଦିରକୁ ଫେରିବା ବାଟରେ ଗ୍ରାମବାସୀ ଭକ୍ତମାନେ ଠାକୁରାଣୀଙ୍କୁ ଦଣ୍ଡବନ୍ଦାଣ କରି ପୂଜାପାଠ କରିଥାନ୍ତି l

ଠାକୁରାଣୀ ସ୍ନାନ କରି ଫେରିବା ବେଳେ ମୃଦଙ୍ଗ ବାଦନ , ଝାଞ୍ଜ ମାଡ଼, ହରି ବୋଲ ,ହୁଳହୁଳି , ଶଙ୍ଖନାଦ ଓ ଭୋଜ ମଣିମା ଶବ୍ଦରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥାଏ। ମା ଦଣ୍ଡକାଳୀ କୋଠିରେ ପହଞ୍ଚିବା ପରେ ଦିନଯାକ ଉପବାସ ଥିବା ଦଣ୍ଡୁଆଭକ୍ତମାନେ ଏକମାତ୍ର ପଣାପାନ କରିଥାନ୍ତି l ବିଳମ୍ବିତ ରାତ୍ରିରେ ଗ୍ରାମର ଦଣ୍ଡ ନାଚୁଆ ଭକ୍ତମାନଙ୍କ ସହିତ ଗ୍ରାମ ପରିକ୍ରମାରେ ଦଣ୍ଡଠାକୁରାଣୀଙ୍କୁ ଧରି ଧୁପଝୁଣା ମାରି ଗ୍ରାମ ମାନଙ୍କରେ ରାତ୍ରିସାରା ନାଚୁଆଭକ୍ତମାନେ ବାଦ୍ୟଯନ୍ତ୍ର ତାଳେ ତାଳେ ଲୋକଗୀତରେ ଦଣ୍ଡନୃତ୍ୟ ପରିବେଷଣରେ ଗାଁ ଦାଣ୍ଡ ଉଚ୍ଛୁଳି ପଡୁଅଛି ।
ଦିବସରେ ମାନସିକ ପୂରଣ ପାଇଁ ଭକ୍ତ ମାନଙ୍କ ଦୁଆରେ ପଞ୍ଚୁ ଦଣ୍ଡମେଳଣ, ଦଶ ଦଣ୍ଡ ମେଳଣ ଓ ୪୨ ଦଣ୍ଡ ମେଳଣରେ ଗ୍ରାମର ମାଆ ଦଣ୍ଡ (କାଳୀ) ଠାକୁରାଣୀ ମାନେ ଯୋଗ ଦିଅନ୍ତି। ମାଆ କାଳୀ ଙ୍କ ଆଜ୍ଞାରେ ଉଷୁନା ଧାନରୁ ଗଜା ହୁଅଇ, ଅପୁତ୍ରିକ ନାରୀ ପୁତ୍ର ଲଭଇ, ଅଚିହ୍ନା ରୋଗ ଆରୋଗ୍ୟ ଲଭଇ ଓ ମାନସିକ ପୂରଣ ପୂରଣ ହୁଅଇ।ଶେଷ ଦିବସ ପଣା ସଂକ୍ରାନ୍ତିରେ ଦଣ୍ଡୁଆ ମାନେ ରଡ ନିଆଁରେ ଚାଲିବା, କଣ୍ଟାରେ ଗଡିବା, ଅରଟିରେ ବୁଲିବା,ପ୍ରଚଣ୍ଡ ଅଗ୍ନି ଝାସରେ ଓହଳିବା ଆଦି କଲେ ମଧ୍ୟ ମାଆ କାଳୀ ଠାକୁରାଣୀଙ୍କ ଆଜ୍ଞାରେ କିଛି ହୁଏ ନାହିଁ।














