୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଆଗାମୀ ସାଧାରଣ ନିର୍ବାଚନକୁ ତୃଣମୂଳ ସ୍ତରରୁ ଉଚିତ ରୂପେ ପରିଚାଳନା କରିବା ପାଇଁ ବିଭିନ୍ନ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲାମାନଙ୍କର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ନିର୍ବାଚନ ପ୍ରକ୍ରିୟାରେ ମତଦାତା ହେଉଛନ୍ତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ସେମାନଙ୍କୁ କେନ୍ଦ୍ରରେ ରଖି ସ୍ୱଚ୍ଛତାର ସହ ସମସ୍ତ ପ୍ରସ୍ତୁତି କରିବାପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଯୁକ୍ତିଜ୍ଞାନ କୌଶଳକୁ ଆଗାମୀ ନିର୍ବାଚନରେ ବହୁ ଗୁରୁତ୍ୱ ଦିଆଯାଉଛି । ଏଣୁ ସମସ୍ତ ଜିଲ୍ଲାରେ ବିଭିନ୍ନ ପ୍ରଯୁକ୍ତିଜ୍ଞାନ କୌଶଳକୁ ବ୍ୟବହାର କରାଯିବ । ସେହି ଅନୁସାରେ ମାନବ ସମ୍ବଳର ବିନିଯୋଗ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୯୫୦ ଟୋଲ ଫ୍ରୀ ନମ୍ବରକୁ ସର୍ବଦା କାର୍ଯ୍ୟକ୍ଷମ ରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ବିଏଲ୍ଓମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ରୂପେ ଅବିହିତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କୁ ଗଣତନ୍ତ୍ରର ସଜାଗ ପ୍ରହରୀ ବୋଲି କହିଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ପୋଷ୍ଟାଲ ବାଲଟ୍କୁ ସମ୍ପୂର୍ଣ୍ଣ ସତର୍କତା ସହ ଛପିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ପରେ ବିଭିନ୍ନ ଅତିରିକ୍ତ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ସମସ୍ୟା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଥିଲେ । ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ ଥିରୁମାଲା ନାଏକଙ୍କ ସହ ଅନ୍ୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।















