୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ଚିଲିକା :- ଓଡିଶା ସରକାର ,କ୍ରୀଡା ଓ ଯୁବସେବା ବିଭାଗଙ୍କ ଅନୁମୋଦିତ ‘ନୂଆ-ଓ’ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ-୨୦୨୪ର ଓଡିଆ ସାହିତ୍ୟ ପ୍ରତିଯୋଗିତା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଆଲୋଚନା ଚକ୍ର ଓ ପ୍ରଦର୍ଶନୀ ଏକ ସପ୍ତାହ ବ୍ୟାପି ଶ୍ରୀ ଜୟଦେବ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ନହରକଣ୍ଟାଠାରେ ଅନୁଷ୍ଠିତ ହୋଇଥିଲା । ଓଡିଆ ପ୍ରବନ୍ଧ ଲିଖନ, ବିତର୍କ ,କବିତାପାଠ, ସ୍ଲୋଗାନ ଲିଖନ, କୁଇଜ,ଭଜନ, ଲୋକନୃତ୍ୟ ପ୍ରତିଯୋଗିତାରେ ମହାବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଓଡିଆ ଭାଷା ଓ ବ୍ୟାକରଣ ଚର୍ଚ୍ଚା, ସାମାଜିକ ଗଣମାଧ୍ୟମର ଭାଷା, ଓଡିଶାର ଐତିହ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡିଆ ସାହିତ୍ୟରେ ଶ୍ରୀଜଗନ୍ନାଥ ଚେତନା ଆଦି ପ୍ରସଂଗରେ ବିଷୟ ବିଶାରଦମାନେ ଆଲୋଚନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉଦବୁଦ୍ଧ କରିଥିଲେ ।
ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟଅତିଥିଭାବେ ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭାଷା ଓ ସଂସ୍କୃତିମନସ୍କ ହେବା ଲାଗି ଉଦବୋଧନ ଦେଇଥିଲେ ।ବିଭିନ୍ନ ପ୍ରତିଯୋଗିତାରେ କୂୁତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ସୁଶାନ୍ତ କୁମାର ରାଉତ , ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ସେଠୀ,ନୋଡାଲ ଅଫିସର ଡ. ସଂଘମିତ୍ରା ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ । ଓଡିଆ ଭାଷା ସାହିତ୍ୟ କମିଟିର କର୍ମକର୍ତ୍ତା ଅଧ୍ୟାପିକା ମିନର୍ଭା ମହାପାତ୍ର, ଅଧ୍ୟାପିକା ଶ୍ରୀ ପରିଡା, ଅଧ୍ୟାପକ ରାମପ୍ରସାଦ ପଣ୍ଡା,ଅଧ୍ୟାପିକା ସୋନଲି ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ସମାରୋହରେ ପ୍ରାୟ ୧୦୦୦ ଛାତ୍ରଛାତ୍ରୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଓଡିଆଭାଷା ସାହିତ୍ୟ କମିଟି ପକ୍ଷରୁ ଅଧ୍ୟାପିକା ଡ. ସଂଘମିତ୍ରା ମହାପାତ୍ର ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।














