୧୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକର କୁମୁଡା ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦେବେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ପକ୍ଷରୁ ଲୌହମାନବୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ଜନ୍ମଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ କୃଷି, ବିଜ୍ଞାନ, କାରିଗରୀ, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ଏବଂ ସ୍ୱୟଂସଂପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଯେଉଁ କାର୍ଯ୍ୟକ୍ରମ କରିଥିଲେ ତାହା ଅବିସ୍ମରଣୀୟ ।
ବ୍ୟାଙ୍କ ଜାତୀୟକରଣ, ରାଜା ରାଜୁଡ଼ାଙ୍କ ହାତପାଣ୍ଠି ଉଚ୍ଛେଦ, ଗରିବ ହଟାଅ କାର୍ଯ୍ୟକ୍ରମ ପ୍ରଭୃତି ତାଙ୍କର ନେତୃତ୍ୱ ଓ ଶାସନ ପରାକାଷ୍ଠାକୁ ପ୍ରତିପାଦିତ କରୁଛି । ୧୯୭୫ ମସିହାରେ ସେ ଯେଉଁ ବିଂଶସୂତ୍ରୀ କାର୍ଯ୍ୟକ୍ରମ ପ୍ରଣୟନ କରିଥିଲେ ତାହା ଦେଶର ସର୍ବାଙ୍ଗୀନ ଉନ୍ନତୀ ପାଇଁ ଉଦ୍ଦିଷ୍ଟ ଥିଲା । ବିଶେଷ କରି ଦାରିଦ୍ର୍ୟର ବିଲୋପ ଏବଂ ସାଧାରଣ ଲୋକଙ୍କର ଜୀବନଧାରାକୁ ଉନ୍ନତ କରିବାପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଦାରିଦ୍ର୍ୟ, ନିଯୁକ୍ତି, ଶିକ୍ଷା, ବାସଗୃହ, ସ୍ୱାସ୍ଥ୍ୟ, କୃଷି, ଭୁସଂସ୍କାର, ଜଳସେଚନ, ପାନୀୟଜଳ, ଦୁର୍ବଳବର୍ଗଙ୍କ ସୁରକ୍ଷା ଓ ସଶକ୍ତିକରଣ, ଖାଉଟି ସୁରକ୍ଷା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ହିଁ ଇନ୍ଦିରା ଗାନ୍ଧୀଙ୍କର ସ୍ୱପ୍ନର ବିଂଶସୂତୀ କାର୍ଯ୍ୟକ୍ରମ ।

ସେ ପୋଖରାନ ଠାରେ ଆଣବିକ ଅସ୍ତ୍ରର ପରିକ୍ଷଣ କରି ଏବଂ ପରବର୍ତୀ ପର୍ଯ୍ୟାୟରେ ବାଙ୍ଗଲାଦେଶ ସୃଷ୍ଟି କରି ବିଶ୍ୱରରେ ଜଣେ ବଳିଷ୍ଠ ନେତ୍ରୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ । ନିଜର କୀର୍ତି ଓ କୃତି ପାଇଁ ଇନ୍ଦିରାଜୀ ଦେଶବାସୀଙ୍କ ନିକଟରେ ଚିର ଅମର ହୋଇ ରହିବେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜିର ସାଧାରଣ ଜନତା ଇନ୍ଦିରା ଗାନ୍ଧୀଙ୍କୁ ଝୁରୁଛନ୍ତି । ମୋଦି ଓ ନବୀନଙ୍କ ଶାସନରେ ଓଡ଼ିଶା ରସାତଳଗାମି ହୋଇଛି । ନବୀନ ସରକାରଙ୍କ ବର୍ଷକୁ ଦୁଇଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଅନୁଯାୟୀ ଓଡ଼ିଆ ଲୋକ ୨୪ ବର୍ଷରେ ୪୮ ଲକ୍ଷ ନିଯୁକ୍ତି ପାଇବା କଥା ।
ମାତ୍ର ସରକାରୀ ତଥ୍ୟ ଅନୁଯାୟୀ ୯ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚାହିଁ ବସିଛନ୍ତି । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ମାହାଙ୍ଗାରେ ରକ୍ଷକ ଭକ୍ଷକ ସାଜିଛି, ବାଡ଼ ଫସଲ ଖାଉଛି । ନବୀନ ପଟ୍ଟନାୟକଙ୍କ ବାହୁଛାୟା ତଳେ ରାଜନେତା ମାନେ ବିରୋଧି ଦଳର ନେତାଙ୍କୁ ଆତଙ୍କିତ କରି ରଖୁଛନ୍ତି । ଦୁର୍ନୀତିର ପର୍ଦ୍ଦାଫାସ କଲେ ମାହାଙ୍ଗାରେ ମ୍ୟୁତ ଦଣ୍ଡ ମିଳୁଛି । ହତ୍ୟାକାରୀଙ୍କୁ ନବୀନ ସରକାର ସୁରକ୍ଷା ଦେଉଛନ୍ତି । ମାହାଙ୍ଗା, କଟକ ତଥା ସାରା ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି ।

ଚାଷୀ ଆଜି ଉପେକ୍ଷିତ, ମହିଳା ଅତ୍ୟାଚାରିତ, ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଏବଂ ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ ହୋଇଥିବା ସ୍ଥଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପିଠି ଥାପୁଡ଼ାଇ ସୁଶାସନର ଡିଣ୍ଡିମ ପିଟୁଛନ୍ତି । କଂଗ୍ରେସ ଓଡ଼ିଶାର ବିକାଶ ପାଇଁ ସଂକଳ୍ପବଦ୍ଧ । ଆଜିର ପବିତ୍ର ଦିନରେ କଂଗ୍ରେସକୁ ଫେରାଇ ଆଣିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କର ସଫଳ ପ୍ରଧାନମନ୍ତ୍ରୀତ୍ୱ ଓ କାଳଜୟୀ କୀର୍ତି ଓ କୃତିର ଚିତ୍ର ପ୍ରଦାନ କରିଥିଲେ ।
ତାଙ୍କର ରାଷ୍ଟ୍ର ଭକ୍ତି, ରାଷ୍ଟ୍ରର ସୁରକ୍ଷା ପାଇଁ ସଂକଳ୍ପ, ପଡ଼ୋଶୀ ଶତୃ ରାଷ୍ଟ୍ରକୁ ଦୃଢ଼ ଜବାବ, ଦାରିଦ୍ର୍ୟ ଦୂରିକରଣ ପ୍ରଭୃତି ସମ୍ପର୍କରେ ଶ୍ରୀ ଚୌଧୁରୀ କହିଥିଲେ । ଏଥି ସହ ମାହାଙ୍ଗାର ଥାନା, ବ୍ଲକ ଅଫିସ ଓ ତହସିଲ ବିଜେଡ଼ି ଦଳର ଦଳୀୟ କାର୍ଯ୍ୟାଳୟରେ ପରିଣତ ନହୋଇ ନିରପେକ୍ଷତା ଅବଲମ୍ବନ କରନ୍ତୁ ବୋଲି ସେ ଚେତାବନୀ ଦେଇଥିଲେ । ଅନ୍ୟାୟ ବିରୋଧରେ କଂଗ୍ରେସ କର୍ମୀଙ୍କର ସଂଗ୍ରାମ ପଛରେ ସେ ଦୃଢ଼ ଭାବେ ଠିଆ ହୋଇଛନ୍ତି ବୋଲି କହିଥିଲେ । ମାହାଙ୍ଗାରେ ଚାଲିଥିବା ନରସଂହାରର ଧାରାକୁ ବନ୍ଦ କରିବାକୁ କଂଗ୍ରେସ ଶପଥ କରିଛି ବୋଲି ସେ ଦୃଢ଼ୋକ୍ତି କରିଥିଲେ ।

ଏହି ସଭାରେ ସ୍ଥାନୀୟ ୯ ଜଣ ଚାଷୀଙ୍କୁ ଇନ୍ଦିରା ଗାନ୍ଧୀ କୃଷି ସମ୍ମାନ-୨୦୨୩ ରେ ସମ୍ମାନୀତ କରାଯାଇଥିଲା । ମାହାଙ୍ଗା ଯିବା ବାଟରେ ପ୍ରଥମେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସାଲେପୁର ବ୍ଲକ କଂଗ୍ରେସ ପକ୍ଷରୁ ସାଲେପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଲେପୁର ଠାରୁ ଏକ ରାଲିରେ କୁଆଁପାଳ ଦେଇ ପିସିସି ସଭାପତିଙ୍କୁ ଗୁମୁଡ଼ା ହାଟଠାରେ ଆୟୋଜିତ ସଭା ପର୍ଯ୍ୟନ୍ତ ନିଆଯାଇଥିଲା । ଆୟୋଜିତ ଜନ୍ମଉତ୍ସବରେ ମହେଶ୍ୱର ରାଉତ ସ୍ୱାଗତ ଭାଷଣ ଦେଇଥିଲା ବେଳେ ବିବେକାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ପ୍ରକାଶ ମିଶ୍ର, ଆକ୍ୱିବ ଖାନ, ପ୍ରବୀଣ କାନୁନଗୋ, ନିରୋତମ ନାୟକ, କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦୀପକ ମହାନ୍ତି, ପ୍ରଦୀପ୍ତ ଭୂୟାଁ, ଭାସ୍କର ବେହେରା, ଅଲେଖ ସ୍ୱାଇଁ, ସନାତନ ବେହେରା, ମହେଶ୍ୱର ସ୍ୱାଇଁ, ସଚ୍ଚିଦା ନନ୍ଦ ରାଉତ, ବେଣୁଧର ସ୍ୱାଇଁ, ଆଶୁତୋଷ ବରାଳ, ବିସ୍ମୟ ରଞ୍ଜନ ଭୂୟାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।













