୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଆଧୁନିକ ଯୁଗରେ ସମୟ ବଦଳିବା ସହ ବହୁ ପୁରାତନ ସାମଗ୍ରୀ ଓ ଚଳଣି ମଧ୍ୟ ବଦଳି ଯାଇଛି । ବୈଜ୍ଞାନିକ ଯୁଗରେ ନୁଆଁ ନୁଆଁ ମେସିନର ଉଦ୍ଭାବନ ହେବା ସହ ସେଗୁଡ଼ିକର ବ୍ୟବହାର ମଧ୍ୟ ବହୁଳ ଭାବରେ ହେଉଛି।ପୂର୍ବରୁ ସମାଜରେ ବହୁଳ ଭାବରେ ବ୍ୟବହାର ହେଉଥିବା ବହୁ ପାରମ୍ପରିକ ସାମଗ୍ରୀ ଏବେ ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଲାଣି । ସେଥି ମଧ୍ୟରେ ହଜି ଯାଇଛି ଗାଁ ଗହଳରେ ଦେଖିବାକୁ ମିଳୁଥିବା କାଠରେ ତିଆରି ହୋଇଥିବା ଢିଙ୍କି । ବହୁ ବର୍ଷ ଧରି ଗାଁ ଗହଳରେ କାଠଢିଙ୍କିର ଆବଶ୍ୟକତା ରହିଥିଲା ।

ଏହା ମାଧ୍ୟମରେ ଧାନ କୁଟାଯାଇ ଯେଉଁ ଚାଉଳ ଓ ଅନ୍ୟାନ୍ୟ ଶସ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା ସେଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ରହୁଥିଲା ଓ ପାଟିକୁ ରୁଚିକର ଲଗୁଥିଲା ।ବର୍ତ୍ତମାନ ଧାନକଳରେ ପେସା ହେଉଥିବା ଚାଉଳରେ ପୂର୍ବଭଳି ଆଉ ସ୍ୱାଦ ଆଉ ରହୁନାହିଁ ।ପୂର୍ବକାଳରେ ଗାଁ ଗଣ୍ଡାର ପ୍ରତି ପରିବାରରେ ବହୁଳ ଭାବରେ ଢିଙ୍କିର ବ୍ୟବହାର କରାଯାଉଥିଲା।କିନ୍ତୁ ଧାନକଳ ଆସିବାରୁ ଧିରେ ଧିରେ ଢିଙ୍କିର ଚାହିଦା କମିବାରେ ଲାଗିଛି।ଆଗଭଳି ଏବେ ଘରେ ଘରେ ଢିଙ୍କିର ବ୍ୟବହାର ମଧ୍ୟ ଦେଖିବାକୁ ମିଳୁନାହିଁ ।

ଧାନକଳ ଦ୍ୱାରା ଚାଉଳ ପ୍ରସ୍ତୁତ କରିବା ପାଇଁ ଲୋକମାନଙ୍କୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡୁନାହିଁ । ପୂର୍ବ କାଳରେ ଧାନକଳ ନ ଥିବାରୁ ଢ଼ିଙ୍କିର ଆଦର ରହିଥିଲା । ଗାଁ ଗହଳିରେ ବସବାସ କରୁଥିବା କାଁ ଭାଁ କିଛି ଘରେ ଢିଙ୍କି ଦେଖିବାକୁ ମିଳୁଛି । ଏବେ ଢିଙ୍କିର ଢକ୍ ଢକ୍ ଶବ୍ଦ ଶୁଭୁ ନ ଥିବାବେଳେ ଢିଙ୍କି କୁଟା ଚାଉଳ ଏବେ ଦୁର୍ଲ୍ଲଭ ହୋଇଛି।ଢ଼ିଙ୍କି କୁଟା ସମୟରେ ମହିଳାମାନେ ଏକାଠି ବସି ଢ଼ିଙ୍କି କୁଟା କାର୍ଯ୍ୟ କରିବା ସହିତ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ନିବିଡ଼ତା ବାନ୍ଧି ହୋଇ ଯାଉଥିଲା।ଏଥିସହ ଶାରୀରିକ ବ୍ୟାୟମ ଭାବେ ମଧ୍ୟ ଢ଼ିଙ୍କିଟି ସାହାଯ୍ୟ କରୁଥିଲା। ।ପରିବର୍ତ୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରିପାରିବା,ଶ୍ରମ ଦାନର ଅଭାବ, ଓ ଅଳସୁଆମି ପଣ ଯୋଗୁଁ ଗାଁ ଗହଳିରେ ଢ଼ିଙ୍କି ଭଳି ଅନେକ ଜିନିଷ ହଜି ଯିବାକୁ ବସିଲାଣି ।
















