
ବାକି ରହିଥିବା ରଥ ଉପର ଚାରି ପାର୍ଶ୍ୱ କୋଣ ଗୁଡିକରେ ପଟା ପଡିବା ଶେଷ ହୋଇଛି । ତିନିରଥକୁ ଉଠିଥିବା ‘ଦୁଆରବେଢ଼ା’ ଗୁଡିକୁ ବାନ୍ଧିରଖିବା ପାଇଁ ଗୋଟିଏ ଗୋଟିଏ ‘ଧ୍ୱଜବତା’ ଦୁଆର ବେଢ଼ା ଚନ୍ଦ୍ରଶାଳି କାପରେ ସେଟିଙ୍ଗ କରାଯାଇ ମଝି ଭୂଇଁ ଛକାଠି ରେ ଫିଟିଙ୍ଗ କରାଯାଇଛି । ତିନିରଥର ଚାରି ପାର୍ଶ୍ୱ କୋଣ ମାନଙ୍କରେ ତିନୋଟି ଲେଖାଁଏ ‘କଣିଫାଉଡା’ ପ୍ରତି ଭୂଇଁ କୋଣ ମାନଙ୍କରେ ଫିଟିଙ୍ଗ କରାଯାଇଛି ।
ଏଥିସହ ଏହି କୋଣ ଫାଉଡା ଉପରେ ପ୍ରଥମ ପୋଟଳ ଠାରୁ ପ୍ରଥମ ଭୂଇଁ ପର୍ଯ୍ୟନ୍ତ ତିନୋଟି ଲେଖାଁଏ ‘ମଣ୍ଡଣିବତା’ ବା ପତଳା କାଠ ବଟନ ବାଡ଼ିଆ ଯାଇଛି । ତିନିରଥର ପ୍ରଭାରେ ରାହୁ ରୂପ ଖୋଦେଇ କାର୍ଯ୍ୟ ଜାରି ରହିଥିବା ବେଳେ ରଥ ଗୁଡ଼ିକର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବ ବେବୀ, ସିଂହାସନ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଆଗେଇ ଚାଲିଛି ।
ତତ୍ପରେ ପ୍ରଥମ ପୋଟଳ ଠାରୁ ଚନ୍ଦ୍ରଶାଳି ପର୍ଯ୍ୟନ୍ତ ଦୁଇଟି ଲେଖାଁଏ ‘ହାତିଆଳମାଳ’ (ବଟନ) ବାଡ଼ିଆ ଯାଉଛି । (ଫଳରେ ରଥର ଗଠନ ଶୈଳୀ ସୁନ୍ଦର ଦିଶିବା ସହ ରଥକନା ପଡିବାରେ ସହାୟକ ହୋଇଥାଏ) ରୂପକାର ସେବକ ମାନେ ତିନିରଥ ର ‘ପ୍ରଭା’ ରେ ରୂପ ଖୋଦେଇ ଶେଷ କରି ରଥରେ ଘୋଡା ସେଟିଙ୍ଗ ପାଇଁ ୧୩ ଫୁଟର ୩ ଗୋଟି ‘ଇଶ ଜୁଆଳି’, ୩ ଗୋଟି ଲେଖାଁଏ ଆଶା ବାଡ଼ି, ନନ୍ଦି ଘୋଷ ରଥ ଏବଂ ତାଳଧ୍ୱଜ ରଥ ସାରଥୀ ଙ୍କ ‘ସାରଥୀ କିରଣ’ ନିର୍ମାଣ ଆରମ୍ଭ କରିଛନ୍ତି ।
ଆଜି ଚିତ୍ରକାର ସେବକ ମାନେ ତିନିରଥର ବେଦୀ ତିନିପାର୍ଶ୍ୱରେ ଗାଈ ପଲ ଚିତ୍ର ଅଙ୍କନ ଶେଷ କରିବା ସହ ଘୋଡା ଗୁଡିକର ରଙ୍ଗ କାର୍ଯ୍ୟ ରଥ ବାହ୍ୟଅଂଶ ଏବଂ ପ୍ରଭାରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ୧୨ ଟି ଧୂଳି ଦଣ୍ଡା କଣ୍ଟା, ୧୨ ଟି ଦୁଆର ବେଢ଼ା ର ଧ୍ୱଜବତା କଣ୍ଟା, ଯୋଗାଇ ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି ।
ତିନିରଥର ଦରଜି ସେବକ ମାନେ ତିନିରଥ ପାଇଁ ବତା କନା ର ବିଳାଶ ପଟିରେ ଲେସ, ଫୁଲ କାମ, ଦୁଆର ବେଢ଼ା କନାରେ ଜାରି ଜମ୍ବୁରା କାମ , ଚନ୍ଦ୍ରଶାଳି ଏବଂ ଅଁଳାଶ୍ରୀ ରେ ଲେସ, ଚିକଣ ଚକି, ଫୁଲ କାମ ଶେଷ ହୋଇ, ସାରଥୀ ପୋଷାକ, ଛତି, ପୋଲିସ ପତାକା, ଭୋଇ ସେବକଙ୍କ ପତାକା ଏବଂ ଚାନ୍ଦୁଆ କାର୍ଯ୍ୟ କରୁଛନ୍ତି । (ରଥ ନିର୍ମାଣ ଅଗ୍ରଗତି ସମ୍ପର୍କୀୟ ସ୍ଥିର ଚିତ୍ର ଏଥି ସହ ସାମିଲ ଅଛି)

© 2023 Odisha Taza News.