୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- ଗତକାଲି ବାଲେଶ୍ଵର ବାହାନଗା ଠାରେ ଘଟିଥିବା କରମଣ୍ଡଳ ଟ୍ରେନର ଭୟାବହ ଦୁର୍ଘଟଣାରେ ଯାଜପୁର ଜିଲାର କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖଚିଲା ନିକଟବର୍ତୀ ଲକ୍ଷ୍ମୀନଗର ପଂଚାୟତ ସ୍ଥିତ କୃଷ୍ଣନଗର ଗ୍ରାମର ନରହରି ସାହୁଙ୍କ ପୁଅ ଜିତେନ୍ଦ୍ର ସାହୁ(ଜିତୁ-୪୪)ଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଥିଲା । ଆଜି ମଧ୍ୟାହ୍ନରେ ତାଙ୍କ ଶବ ଗାଁକୁ ଆସିବା ପରେ ଶୋକାକୂଳ ପରିବେଶ ସୃଷ୍ଟିହୋଇଛି । ପ୍ରକାଶଯେ, ନରହରି ସାହୁଙ୍କର ବଡପୁଅ ଜିତେନ୍ଦ୍ର ଜଣେ ସିଭିଲ ଇଞ୍ଜିନିୟର ।
ସେ ବାଲେଶ୍ଵର ଏକ କମ୍ପାନୀରେ ଚାକିରି କରିଥିଲେ । ଘରେ ଜିତେନ୍ଦ୍ରଙ୍କ ବାପା, ମାଆ ପୂର୍ଣ୍ଣିମା, ସ୍ତ୍ରୀ ରଞ୍ଜିତାଙ୍କ ସମେତ ଦୁଇ ପୁଅ ଅଛନ୍ତି । ବଡପୁଅ ଓମ ପ୍ରକାଶ ଦଶମରେ ପଢୁଥିଲା ବେଳେ ସାନପୁଅ ସାହେଲ ୮ମରେ ପଢୁଛି । ସ୍ତ୍ରୀ ରଞ୍ଜିତା ଟ୍ୟୁମର ରୋଗରେ ପୀଡିତ ଅଛନ୍ତି । ତାଙ୍କୁ କଟକ ବଡ ମେଡିକାଲରେ ନିୟମିତ ଚିକିତ୍ସ କରାଉଛି । ଜିତେନ୍ଦ୍ର ତା’ର ସ୍ତ୍ରୀକୁ ଡାକ୍ତର ଦେଖାଇବା ପାଇଁ ଦୁଇଦିନ ଛୁଟି ନେଇ ଗତକାଲି କରମଣ୍ଡଳ ଏକ୍ସପ୍ରେସ ଯୋଗେ ଘରକୁ ଆସୁଥିଲା । ହେଲେ ଦାଉ ସାଧିଲା ଲୌହ ଦାନବ । ନାନା ଭାବନା ନେଇ ପିଲାଛୁଆ ପରିବାର ପାଖକୁ ଆସୁଥିବା ଜିତୁର ଅଚାନକ ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଲା ।
ପୋଶିଲା ପୁଅକୁ ହରାଇ ବାପା ନରହରି ବେସେହାରା ହୋଇ ପଡିଛନ୍ତି । ପତ୍ନୀ ରଞ୍ଜିତା ସ୍ବାମୀର ଏପରି ଅବସ୍ଥା ଦେଖି ଆତ୍ମହରା ହୋଇ ପଡିଥିଲା ବେଳେ ପୁଅଦ୍ଵୟ ହତବାକ ହୋଇ ପଡିଛନ୍ତି । ଏପରି ଦୁଃଖଦ ଖବର ପାଇ ଜାତୀୟ ମାନବାଧିକାର କୋର କମିଟ ସଦସ୍ୟ ମନୋଜ ଜେନା, କେଜିଆଇର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ, ଜିଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଯେନା, କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀନଗର ସରପଂଚ ଇଂ ସର୍ବେଶ୍ବର ସାହୁ, ଶିକ୍ଷାବିତ ମଦନମୋହନ ବେହେରା, ରମାକାନ୍ତ ବେହେରା ପ୍ରମୁଖ ବହୁଶିକ୍ଷାବିତ, ରାଜନେତା, ବୁଦ୍ଧିଜୀବୀ,
ଗ୍ରାମବାସୀଙ୍କ ସମେତ ଖମଣ ଓ ଲକ୍ଷ୍ମୀନଗର ଦୁଇ ପଂଚାୟତର ଶହସ୍ରାଧିକ ଲୋକେ ପହଂଚି ଶେଷ ଦର୍ଶନ ପୂର୍ବକ ଶବକୁ ଶୋଭାଯାତ୍ରରେ ନେଇ ଗ୍ରାମ ଶ୍ମଶାନରେ ଶୋକାକୂଳ ପରିବଶ ମଧ୍ୟରେ ଦାହ କରାଯାଇଥିଲା । ବିଧବା ପତ୍ନୀ, ଅସହାୟ ବାପାମାଆ ଓ ବେସାହାର ପୁଅ ଦ୍ଵୟଙ୍କ ନିମନ୍ତେ ରେଳବିଭାଗ, ରାଜ୍ୟ ସରକାର ଓ ଜିତୁର କମ୍ପାନୀ କର୍ତ୍ତୃପକ୍ଷ ସ୍ବତନ୍ତ୍ରଭାବେ ସହାୟତା କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।
ଏହି ଅବସରରେ ସହିଦ ଭଗତ ସିଂହ ଯୁବକ ସଂଘ ପକ୍ଷରୁ ସଭାପତି ରାଜେନ୍ଦ୍ର କୁମାର ବିଶ୍ବାଳଙ୍କ ନେତୄତ୍ତ୍ବରେ ସଂପାଦକ ହେମନ୍ତ କୁମାର ଧୀରଙ୍କ ସଂଚାଳନା କ୍ରମେ ଦୁର୍ଘଟଣାରେ ମୄତ ବ୍ୟକ୍ତିଙ୍କ ଆତ୍ମାର ସଦଗତି କାମନା ପୂର୍ବକ ଆହତଙ୍କ ଆଶୁ ଆରୋଗ୍ୟ ନିମନ୍ତେ ବ୍ୟାସନଗର ସହରର ଗୋପବନ୍ଧୁ ଛକ ସ୍ଥିତ ପୂଣ୍ୟାତ୍ମା ପଣ୍ତିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ l

© 2023 Odisha Taza News.