ବକ୍ସାଇଟ୍ ଖନନ ପାଇଁ ପରୀକ୍ଷା କୁ କରାଇ ଦେଲେ ନାହିଁ ଅଞ୍ଚଳ ବାସୀ : ପରିବେଶ ନଷ୍ଟ ଓ ଚାଷ ଜମି ପ୍ରଭାବିତ ହେବା ଆଶଙ୍କା କରି ଫେରାଇ ଦେଲେ

୨୧ଫେବୃଆରୀ ,ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) କୋରାପୁଟ :- ବକ୍ସାଇଟ୍ ଖନନ ପାଇଁ ପରୀକ୍ଷା କୁ କରାଇ ଦେଲେ ନାହିଁ ଅଞ୍ଚଳ ବାସୀ । କୋରାପୁଟ ଜିଲ୍ଲାର ନାରାୟଣପାଟଣା ତହସିଲ ଅଧୀନସ୍ଥ ତଳଗୁମାଣ୍ଡି ପଞ୍ଚାୟତର କର୍ଣ୍ଣକଣ୍ଡା ପାହାଡ଼ରେ ଗଛିତ ଅଛି ବହୁ ପରିମାଣର ବକ୍ସାଇଟ୍ ଦ୍ରବ୍ଯ। ଖନନ କରି ଏହାକୁ ବିନିଯୋଗ କରିବା ପାଇଁ ସରକାର ପ୍ରୟାସ କରିଛନ୍ତି। ଯେଉଁଥିପାଇଁ ଖଣି ନିଗମ ପକ୍ଷରୁ ଏକ ସଂସ୍ଥା ଦ୍ଵାରା ପରୀକ୍ଷା ପାଇଁ ଏକ ଟିମ୍ ଯାଇଥିଲେ। ତେବେ ଏହାକୁ ବିରୋଧ କରିଛନ୍ତି ଏହାର ସଂଲଗ୍ନ ଗ୍ରାମ ବାସୀଙ୍କ ସହିତ ପ୍ରାୟ ୪ ଟି ପଞ୍ଚାୟତର ଆଦିବାସୀ ମାନେ। ସେମାନଙ୍କ ଅଭିଯୋଗ ହେଉଛି ଖଣି ଖନନ ହେଲେ ପରିବେଶ ନଷ୍ଟ ହେବା ସହିତ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ଏପରିକି ଜଙ୍ଗଲ ପାହାଡ଼ ଉପରେ ନିର୍ଭର କରି ବଞ୍ଚୁଥିବା ଆଦିମ ଅଧିବାସୀଙ୍କ ଜୀବିକା ପ୍ରଭାବିତ ହେବା ସହିତ ଜଳ ଧାରା ସୁଖିଯିବା କାରଣରୁ ଲୋକମାନଙ୍କ ଚାଷ ପ୍ରଭାବିତ ହେବ ।ଧୂଳି ମାଟି ଉଡି ଲୋକେ ରୋଗାକ୍ରାନ୍ତ ହେବେ ଯେଉଁଥିପାଇଁ ସେମାନେ ଏହା ହେବାକୁ ଦେବେ ନାହିଁ ବୋଲି କହିଛନ୍ତି । ସେହିପରି ଏହାର ନିକଟବର୍ତ୍ତୀ ପଞ୍ଚପଟ ମାଳିରୁ ପ୍ରାୟ ୪ ଦଶନ୍ଧି ରୁ ଊର୍ଦ୍ଧ୍ବ ହେବ ଖଣି ଖନନ ହେଉଛି । ଏହାର ନିକଟ ବର୍ତ୍ତି ନାରାୟଣପାଟଣା ତହସିଲର କିଛି ଗ୍ରାମ ଅନ୍ତର୍ଭୁକ୍ତ । ଏହି ପାହାଡରୁ ବକ୍ସାଇଟ୍ ଖନନ ହୋଇ ନାଲକୋ କାରଖାନକୁ ଯାଉଛି । ତେବେ ଖଣି ନେବା ପୁର୍ବରୁ ଗ୍ରାମ ବାସୀ ମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବଳ ପାଣିର ଗାର ସଦୃଶ । ଗ୍ରାମ ଗୁଡିକର କୌଣସି ପ୍ରକାର ବିକାଶ ହୋଇନାହିଁ, ଏପରିକି ନିଯୁକ୍ତି ମଧ୍ୟ । ଯେଉଁଥିପାଇଁ ସେମାନେ ତାର ପୁନରାବୃତ୍ତି ଏଠାରେ ହେବାକୁ ଦେବେନାହଁ ବୋଲି ରୋକ ଠୋକ କହି ପରୀକ୍ଷା ପାଇଁ ଆସିଥିବା ଟିମ୍ କୁ ଫେରାଇ ଦେଇଛନ୍ତି । ଏହି ସମୟରେ ସ୍ଥାନୀୟ ବିଡିଓଙ୍କ ସହିତ ତହସିଲଦାର ମଧ୍ୟ ଉପସ୍ଥିତ ଥିଲେ ।