No Result
View All Result
୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ତରଫରୁ ଆୟୋଜିତ ‘ଗୀତା ଓ ମାନବବାଦ’ ଶୀର୍ଷକ ଦୁଇଦିନିଆ ଆଲୋଚନାଚକ୍ର ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଡଃ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀଜୀ ସ୍ୱୀୟ ଆଶୀର୍ବଚନରେ କହିଲେ ଯେ, ଗୀତା ଗ୍ରନ୍ଥ ଏକ ଧର୍ମଶାସ୍ତ୍ର ନୁହେଁ । ଗୀତା ହେଉଛି ମାନବୀୟ ସମ୍ବିଧାନ । ଗୀତା କୌଣସି ନିଦ୍ଦିଷ୍ଟ ଜାତି, ଧର୍ମ, ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ସମଗ୍ର ବିଶ୍ୱର ପ୍ରତିଟି ମଣିଷମାନଙ୍କ ପାଇଁ ଉଦ୍ଦିଷ୍ଟ ।
ଗୀତା ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧିବାର ମାର୍ଗଦର୍ଶନ କରିଅଛନ୍ତି । ଗୀତା ମାନବବାଦର ପ୍ରତିଷ୍ଠା ଅତ୍ୟନ୍ତ ସଶକ୍ତ ଭାବେ ପ୍ରତିଷ୍ଠିତ କରିଅଛନ୍ତି । ଶ୍ରୀମଦ୍ ଭଗବତ ଗୀତା କେବଳ ଏକ ଧର୍ମ ନୁହେଁ, ଏହା ମାନବବାଦର ସର୍ବଶ୍ରେଷ୍ଠ ଓ ସର୍ବପ୍ରାଚୀନ ଉଦଘୋଷକ । ଶରୀରରୁ ଆତ୍ମା ପର୍ଯ୍ୟନ୍ତ ଯାତ୍ରା ଲାଗି ପଥ ସୁଗମ କରୁଥିବା ଆଲୋକ ବର୍ତ୍ତିକା ହିଁ ଗୀତା । ଏହାକୁ ମନୁଷ୍ୟ ଯେତେ ପାଠ କରୁଥିବେ, ସେଥିରୁ ସେତିକି ନୂଆ ନୂଆ ତଥ୍ୟ ଓ ପ୍ରେରଣା ଆହରଣ କରୁଥିବେ ।
ସ୍ଥୁଳ ମନୁଷ୍ୟ ମଧ୍ୟରେ ଅହରହ ଚାଲିଥିବା ମହାଭାରତ ସଂଗ୍ରାମରେ, ମୋହ ଓ ଅଜ୍ଞାନ ସଦୃଶ ଅନ୍ଧ ଧୃତରାଷ୍ଟ୍ରଙ୍କୁ ଚକ୍ଷୁସ୍ମାନ ସଞ୍ଜୟଙ୍କ ଭଳି ଗୀତା ଦିବ୍ୟ ସନ୍ଦେଶ ଦେଇ ଚାଲିଥିବ । ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ଆନ୍ତର୍ଜାତିକ ଗୀତା ମିଶନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଦୁଇଦିନିଆ ଆଲୋଚନା ଚକ୍ରର ଉଦ୍ଯାପନୀ ସନ୍ଧ୍ୟାରେ ଆଧ୍ୟାତ୍ମିକ ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୀତା ମିଶନର ସମସ୍ତ ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ବିଚାରପତି ସଞ୍ଜୟ ପଣ୍ଡା ଓ ଅନୁଷ୍ଠାନର ଉପସଭାପତି ଶଙ୍କରର୍ଷଣ ରାଉତ ବକ୍ତବ୍ୟ ରଖିଥିଲେ । ମହାନଗରର ଅନେକ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସାଧୁସନ୍ଥ ତଥା ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ ।
No Result
View All Result