ଓଡିଶା ତାଜା ନ୍ୟୁଜ୍ (୧୨ ଜୁନ୍ ଶୁକ୍ରବାର ) ବାଲେଶ୍ୱର : – ଦିନେ ତାଙ୍କ ପାଇଁ ଯାତ୍ରା ପେଣ୍ଡାଲ ହସରେ ଉଛୁଳୁଥିଲା । ଯାତ୍ରାଜଗତରେ ନିଜର ନିଆରା ହାସ୍ୟ ସଂଳାପ ଓ ଅଭିନୟ ଚାତୁର୍ଯ୍ୟ ପାଇଁ ଏକଦା ନମ୍ବର ୱାନ୍ କମେଡିଆନ୍ର ଖ୍ୟାତି ଅର୍ଜନ କରିଥିଲେ ସେ। ମଣିଭଦ୍ର ବିଶ୍ୱାଳ ଓରଫ ରସରାଜ ମଣି ଭାବେ ପରିଚିତ ଏହି ଖ୍ୟାତନାମା କଳାକାରଙ୍କ ଦୁଃଖ ଏବେ କହିଲେ ନ ସରେ । ବଳବୟସ ହଟିବା ପରେ ପାରିବାରିକ ନିର୍ଯାତନାର ଶିକାର ହୋଇଛନ୍ତି ମଣିଭଦ୍ର । ଶାନ୍ତିରେ ବଞ୍ଚିବା ସହିତ ନ୍ୟାୟ ପାଇଁ ଖନ୍ତାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ ମଣିଭଦ୍ର ଯାତ୍ରା ଜଗତରୁ ଅବ୍ୟାହତି ନେଇ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ବର ଜିଲ୍ଲା ବାହାନାଗା ବ୍ଲକ ଓଳିଆପାଟଣାରେ ରହୁଛନ୍ତି । ଏବେ ପରିଣତ ବୟସରେ ପରିବାର ପାଇଁ ସେ ଅଲୋଡ଼ା । ମଣିଭଦ୍ରଙ୍କ ଅଭିଯୋଗ ଅନୁସାରେ, ବଡ଼ପୁଅ ହୃଦାନନ୍ଦ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଏପରିକି ତାଙ୍କର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପଲଙ୍କ, ଟିଭି, ବହିପତ୍ର, ଲୁଗାଟ୍ରଙ୍କ ଏବଂ ରଖିବା ପାଇଁ ଦେଇଥିବା ସୁନାବୋତାମ ମାଗିବାରୁ ବଡ଼ପୁଅ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ।
ଜୀବନ ବଞ୍ଚାଇବା ପାଇଁ ମଣିଭଦ୍ର ବର୍ତ୍ତମାନ ଅନ୍ୟତ୍ର ରହିବା ସହ ସୁରକ୍ଷା ଲୋଡ଼ିଛନ୍ତି । ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମଣିଭଦ୍ର ଆଜି ଖନ୍ତାପଡ଼ା ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ମଣିଭଦ୍ରଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୁଲିସ୍ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । (ଦୀପ୍ତିମାନ୍ ପତି/ବାଲେଶ୍ୱର)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com